କିଏ ୧୦ଥର ତ କିଏ ଥରେ ବି କରିପାରିନଥିଲେ ବଜେଟ୍ ଉପସ୍ଥାପନା, ଜାଣନ୍ତୁ କିଏ ଥିଲେ ଏହି ଅର୍ଥମନ୍ତ୍ରୀ

199

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ୧୦ ଦିନ ପରେ ବଜେଟ ଉପସ୍ଥାପନ କରିବେ । ଚଳିତ ବଜେଟରେ କଣ ରହିବ ରୁପରେଖ ତାହାକୁ ନେଇ ସବୁବର୍ଗର ଲୋକ ଅନେକ ଆଶା ରଖିଛନ୍ତି । କାରଣ ପୂର୍ବବର୍ଷ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତନ ହୋଇ ନଥିଲା । ଦ୍ୱିତୀୟ କାରଣ ହେଉଛି ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହା ଶେଷ ପୂର୍ଣ୍ଣ ବଜେଟ । ଏଣୁ ସରକାର ଦେଶର ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବଡ ବଡ ଘୋଷଣା କରିପାରନ୍ତି । ଏହାସହ ଚଳିତ ବଜେଟରେ ମହଙ୍ଗାମାଡର ଲୋକଙ୍କୁ ଉଦ୍ଧାର କରିବାକୁ କିଛି ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ।

ସେପଟେ ବଜେଟକୁ ନେଇ କିଛି ରୋଚକ କଥା ମଧ୍ୟ ରହିଛି । ଆପଣ ଜାଣିଛନ୍ତି କି କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ କିଛି ମନ୍ତ୍ରୀ ୧୦ ଥର ଲେଖାଏଁ ବଜେଟ ଉପସ୍ଥାପନ କରିଥିବା ବେଳେ ଏମିତି ଅର୍ଥମନ୍ତ୍ରୀ ଥିଲେ ଯେ କି ଥରେ ହେଲେ ବଜେଟ ଉପସ୍ଥାପନ କରିପାରି ନଥିଲେ । ୧୯୪୭ ରୁ ଆଜି ପର୍ଯ୍ୟନ୍ତ ସଂସଦରେ ସବୁଠାରୁ ଅଧିକ ଥର ବଜେଟ ଉପସ୍ଥାପନ କରିବା ରେକର୍ଡ ମୋରାଜୀ ଦେଶାଇଙ୍କ ନାମରେ ରହିଛି । ସେ ଅର୍ଥମନ୍ତ୍ରୀ ଭାବେ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି ।

ମୋରାଜୀ ଦେଶାଇ ୧୯୫୮ ମାର୍ଚ୍ଚ ୧୩ ତାରିଖରୁ ୧୯୬୩ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ଥିଲେ । ଏହାପରେ ୧୯୬୭ ରୁ ୧୯୬୯ ପର୍ଯ୍ୟନ୍ତ ସେ ଦ୍ୱତୀୟଥର ପାଇଁ ଦେଶର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ଦୁଇଟି କାର୍ଯ୍ୟକାଳ ମଧ୍ୟରେ ସେ ୧୦ଥର ବଜେଟ୍ ଉପସ୍ଥାପନ କରିଛନ୍ତି ।

ଅନ୍ୟପଟେ ଏମିତି ଜଣେ ଅର୍ଥମନ୍ତ୍ରୀ ଥିଲେ ତାଙ୍କ ମନ୍ତ୍ରୀକାଳରେ ସେ କେବେ ବି ବଜେଟ ଉପସ୍ଥାପନ କରି ନଥିଲେ । ଏହି ରେକର୍ଡ ରହିଛି କେସି ନିୟୋଗୀଙ୍କ ନାମରେ । ସେ ୧୯୪୮ ମସିହାରେ ୩୫ ଦିନ ପାଇଁ ଅର୍ଥମନ୍ତ୍ରୀ ଥିଲେ । ସେ ଏକା ଏଭଳି ଜଣେ ଅର୍ଥମନ୍ତ୍ରୀ ଯେ କି, ବଜେଟ ଉପସ୍ଥାପନ କରିପାରି ନଥିଲେ ।