ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ । ତାଲିକାର ପୁର୍ନବିଚାର ଦାବିରେ ଅସ୍ତ୍ରଶସ୍ତ୍ର ଧରି କଲେ ବିରୋଧ ପ୍ରଦର୍ଶନ

117

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ଆଉ ବଲାଙ୍ଗୀରରେ ଏକାଠି ହୋଇଛନ୍ତି ଶହ ଶହ ଆଦିବାସୀ । ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଆଣି ବଲାଙ୍ଗୀରରେ ଏକାଠି ହୋଇଛନ୍ତି ବହୁ ସଂଖ୍ୟାରେ ଆଦିବାସୀ । ଖାଲି ସେତିକି ନୁହେଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଭାଯାତ୍ରା କରିବା ସହ ହାତରେ ପ୍ଲାକାର୍ଡ ଧରି ସେମାନେ ନାରାବାଜି ମଧ୍ୟ କରିଥିଲେ ।

ମିଳିଥିବା ରିପୋର୍ଟ ମୁତାବକ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ଆଦିବାସୀଙ୍କ ଭିତରେ କୁହଳୁଛି ଅସନ୍ତୋଷ । ଆଉ ଏହାପରେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଆଣି ବଲାଙ୍ଗୀରରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ଆଦିବାସୀ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଭାଯାତ୍ରା କରିବା ସହ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଅସ୍ତ୍ରଶସ୍ତ୍ର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାର ପୁନଃ ବିଚାର ପାଇଁ ଦାବି କରିଛନ୍ତି ।

ବଲାଙ୍ଗିର ଜିଲ୍ଲାର ୩୧୭ଟି ଗ୍ରାମପଞ୍ଚାୟତରୁ ୭୨ଟିରେ ରୋଟେସନ ଆଧାରରେ ସିଟ୍ ସଂରକ୍ଷଣ ପାଇଁ ଆଦିବାସୀମାନେ ଦାବି କରିଛନ୍ତି । ସେହିପରି ୧୪ଟି ବ୍ଲକରୁ ୩ଟି ବ୍ଲକର ଅଧ୍ୟକ୍ଷ ପଦବୀ ଆଦିବାସୀଙ୍କ ପାଇଁ ସରଂକ୍ଷଣ କରିବାକୁ ଦାବି ଜଣାଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଜିଲ୍ଳାପାଳ ।

ଢେଙ୍କାନାଳ ଜିଲ୍ଳା କାମାକ୍ଷାନଗରରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ଆଦିବାସୀଙ୍କ ପ୍ରତି ଅବିଚାର କରାଯାଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ସଂଖ୍ୟାରେ ଆଦିବାସୀ । କଙ୍କଡାହାଡ ବ୍ଲକ ମିଳିତ ଆଦିବାସୀ ସଂଘ ପକ୍ଷରୁ କାମାକ୍ଷାନଗରରେ ଶୋଭାଯାତ୍ରା ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରାଯାଇଛି । ଆଦିବାସୀମାନଙ୍କ ପାଇଁ ସ୍ଥାନ ସରଂକ୍ଷଣ କରିବା ନେଇ ଏକ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ଦେଇଛନ୍ତି । ତେବେ ବଲାଙ୍ଗୀର ଓ କାମାକ୍ଷାନଗର ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାହାକୁ ସମାଧାନ କରିବା ସରକାର ପାଇଁ ବଡ ଚ୍ୟାଲେଞ୍ଜ ହେବ ।