କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କହିଲେ, ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ନବୀନ ଇଂଜିନ୍

89

କନକ ବ୍ୟୁରୋ : କଳାହାଣ୍ଡି, ନୂଆପଡାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । କଳାହାଣ୍ଡିରରେ ମେ ୧୩ ତାରିଖରେ ଭୋଟ ପଡିବ । ଆଉ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ନୂଆପଡାରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କାର୍ତିକ ପାଣ୍ଡିଆନ । ପାଣ୍ଡିଆନ ଖଡିଆଳ ରୋଡରୁ ନୂଆପଡା ଯାଏଁ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ଶୋରେ ଆସି ନୂଆପଡା ରାଲିରେ ଯୋଗଦେଇଥିଲେ ।

ନୂଆପଡାରେ ବିଜେପିର ଡବଲ ଇଞ୍ଜିନ କଥାକୁ ସମାଲୋଚନା କରି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସେ କହିଥିଲେ , ବିରୋଧୀ ଡବଲ ଇଞ୍ଜିନ କଥା କହୁଛନ୍ତି । କିନ୍ତୁ ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି କାହିଁକି? ତେଣୁ ନା ଡବଲ, ନା ସିଙ୍ଗଲ ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ । ନବୀନବାବୁଙ୍କ ଇଞ୍ଜିନ ସବୁଠାରୁ ମଜଭୁତ ।

ନୂଆପଡା ସଭାରେ କଳାହାଣ୍ଡି ବିଦାୟୀ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । ନୂଆପଡା-ଭବାନୀପାଟଣା ଜାତୀୟ ରାଜପଥର ଉଦାହରଣ ଦେଇ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ଆପଣଙ୍କ ସାଂସଦ ୫ ବର୍ଷରେ କଣ କରିଛନ୍ତି? ଏଠାରେ ୨୦୧୯ ମସିହାରେ ବିଜେପିର ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ । ପାଣ୍ଡିଆନ କହିଥିଲେ, ବିଜୁ ଏକ୍ସପ୍ରେସ ୱେ ଓ କେନ୍ଦ୍ର ସରକାର ଜାତୀୟ ରାଜପଥ ଦେଖନ୍ତୁ ଫରକ ନିଜେ ଜାଣିପାରିବେ । ପାଣ୍ଡିଆନ ନୂଆପଡା ଧର୍ମଗଡ ଜୁନାଗଡ ଲାଞ୍ଜିଗଡରେ ସଭାକରି ବିକାଶର ହିସାବ ଦେଇଛନ୍ତି । କହିଛନ୍ତି, ଜନଶୁଣାଣୀରେ ମିଳିଥିବା ଅଭିଯୋଗର ୮୦ ପ୍ରତିଶତ ସମାଧାନ ହୋଇଛି ।

ଲାଞ୍ଜିଗଡ ପରେ ନର୍ଲାରେ ବି ପ୍ରଚାର କରିଥିଲେ ପାଣ୍ଡିଆନ । ରାଜ୍ୟରେ ବିଜେପି ନେତା ଡବଲ ଇଞ୍ଜିନ ସରକାର ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରୀୟ ନେତା ବି ଆସି କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଓଡିଶାରେ ବିଜେପି ସରକାର କରିବାକୁ କହି ଡବଲ ଇଂଜିନର ଆହ୍ୱାନ ଦେଉଛନ୍ତି । ଏଭଳି ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଡବଲ ଇଞ୍ଜିନଙ୍କୁ ପାଣ୍ଡିଆନଙ୍କ ଆକ୍ରମଣ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।