ଟିକେଟ୍ କଟିଲା, ଏବେ ଟଙ୍କା ଫେରାଅ । ପ୍ରେସମିଟ୍ କରି ଦାବି କଲେ ମୋହନ ହେମ୍ବ୍ରମ, କେନ୍ଦୁଝରରୁ ଥିଲେ କଂଗ୍ରେସ ଟିକେଟ୍ ଆଶାୟୀ

3,158

କନକ ବ୍ୟୁରୋ : କେନ୍ଦୁଝର ଲୋକସଭା ଆସନ ପାଇଁ କଂଗ୍ରେସ ଟିକେଟ୍ ଦେଇ କାଟିଦେବା ପରେ ପ୍ରେସମିଟରେ ଏଭଳି ଢଙ୍ଗରେ ଦୁଃଖ ଦେଖାଇଛନ୍ତି ମୋହନ ହେମ୍ବ୍ରମ୍ । ଯଦି ଯୋଗ୍ୟତା ନଥିଲା ଟିକେଟ ଦେଉଥିଲେ କାହିଁକି? ଯଦି ଟିକେଟ ଦେଲେ, କାଟିଦେଲେ କାହିଁକି ? ଏହି ପ୍ରଶ୍ନ ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋହନ କୁମାର ହେମ୍ବ୍ରମ ଓ ତାଙ୍କ ଧର୍ମପତ୍ନୀ ଝୁନା ପଟ୍ଟନାୟକ । ପ୍ରଶ୍ନ କରିଛନ୍ତି ଯେଉଁଠି କଂଗ୍ରେସ କର୍ମୀ ନ୍ୟାୟ ପାଉ ନାହାନ୍ତିଁ ? ସେଠାରେ ଭାରତ ଯୋଡ ନ୍ୟାୟ ଯାତ୍ରା କାହା ପାଇଁ ? ଏଥିସହ ଟିକେଟ ଆବେଦନ ସମୟରେ ଦଳକୁ ଦେଇଥିବା ୫୦ ହଜାର ଟଙ୍କା । ନାଁ ଘୋଷଣା ପରେ ଖର୍ଚ୍ଚ କରିଥିବା ୭ଲକ୍ଷ ଟଙ୍କା ୪୮ଘଂଟା ଭିତରେ ତାଙ୍କୁ ଫେରାଇଦେବାକୁ ଦାବି କରିଛନ୍ତି ମୋହନ ହେମ୍ବ୍ରମ । ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥର ତେଲକୋଇ ଆସନରୁ ଟିକେଟ୍ ଆଶାୟୀ ଥିଲା ବେଳେ ତାଙ୍କୁ ସାଂସଦ ଟିକେଟ୍ ଦେଇ ପୁଣି କାଟି ଦେଇଛି କଂଗ୍ରେସ । ଏହା ତାଙ୍କ ପ୍ରତି ଅନ୍ୟାୟ ଓ ଅପମାନ କହି ମୋହନ ହେମ୍ବ୍ର୍ମ ଓ ତାଙ୍କ ପତ୍ନୀ ଖୋର୍ଦ୍ଧା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଝୁନା ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି ।

ସେପଟେ କଂଗ୍ରେସ କହିଛି ମୋହନ ହେମ୍ବ୍ରମ ଓ ଝୁନା ପଟ୍ଟନାୟକ କଂଗ୍ରେସ ଦଳର ଟାଣୁଆ ନେତା । ଯଦି ସେମାନେ ଅଭିମାନ କରିଥାନ୍ତି ତେବେ ସେମାନଙ୍କୁ ବୁଝାଇ ଦଳକୁ ଫେରାଇଅଣାଯିବ । ଅନ୍ୟପଟେ କେନ୍ଦୁଝର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିନୋଦ ବିହାରୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ତୃଣମୂଳସ୍ତରରେ ସଂଗଠନ ମଜଭୁତ ଥିବାରୁ ତାଙ୍କୁ ଦଳ ପ୍ରାର୍ଥୀ କରିଛି ।

କଂଗ୍ରେସ ଟିକେଟ ଦେଇ କାଟିଦେବା ମୋହନ ହେମ୍ବ୍୍ମଙ୍କୁ ବେଶ ବାଧିଛି । ଦଳର ନିଷ୍ପତିକୁ ସମ୍ମାନ ଜଣାଇ ସେ ପୂର୍ବରୁ ମଧ୍ୟ ହଇରାଣ ହୋଇଥିବା କହିଛନ୍ତି ।