ଟିକେଟ କଟିବା ପରେ ଶକ୍ତି ଦେଖାଉଛନ୍ତି ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ । ବିଜେଡିର ଶୀର୍ଷ ନେତୃତ୍ୱ ଉପରେ ପକାଉଛନ୍ତି ଚାପ

521

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ରାଜନୀତିର ଟାଣୁଆ ନେତା ସମୀର ଦାଶଙ୍କ ସମର୍ଥନରେ ଏ ହେଉଛି ଶକ୍ତି ପ୍ରଦର୍ଶନ ସମାବେଶ । ନିମାପଡା ଟିକେଟ କଟିବା ପରେ ଦ୍ୱିତୀୟ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛନ୍ତି ସମୀର ।

ସମୀର ଦାସଙ୍କ ଟିକେଟ କଟିବା ପରେ ସରଗରମ ନିମାପଡ଼ା ରାଜନୀତି । ନିମାପଡା ପ୍ରାର୍ଥୀଙ୍କୁ ନେଇ ପୁନର୍ବିଚାର ନହେଲେ ସମୁହ ଇସ୍ତଫା ଦେବାକୁ ଚେତାବନୀ ଦେଉଛନ୍ତି ନିମାପଡା ବ୍ଲକ ବିଜେଡି ସଭାପତି ଓ ନିମାପଡା ନଗର ସଭାପତି । ସମୀର ଦାସଙ୍କ ଉପସ୍ଥିତିରେ ହାଇଥିବା ବୈଠକରେ ଏଭଳି ନିଷ୍ପତି ହୋଇଥିବା ଚର୍ଚ୍ଚା ହେଉଛି । ନିମାପଡା ପାଇଁ ଯଦି ବିଜେଡିର ପ୍ରାର୍ଥୀ ପରିବର୍ତନ ନହୁଏ ତେବେ, ସମୀର ଦାସ ସ୍ୱାଧୀନ ଭାବେ ଲଢିବେ ବୋଲି ସମର୍ଥକମାନେ ସ୍ଥିର କରିଛନ୍ତି ।ଏନେଇ ନିମାପଡା ବ୍ଲକ ସଭାପତି ଘୋଷଣା କରିଛନ୍ତି । ତେବେ ୩୦ ତାରିଖ ଯାଏଁ ଅପେକ୍ଷା କରିବାକୁ ସମର୍ଥକଙ୍କୁ ଅପିଲ କରିଛନ୍ତି ସମୀର ଦାସ ।

ସମୀର ଦାଶ ସମର୍ଥକଙ୍କୁ ନେଇ ମେଳି କରି ବିଜେଡି ଉପରେ ଚାପ ପକାଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ନିମାପଡାରୁ ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିବା ପରଠୁ ଦୁଇ ଦୁଇ ଥର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ । ପ୍ରଶ୍ନ ଉଠୁଛି ଯଦି ପ୍ରାର୍ଥୀ ପରିବର୍ତନ ନହୁଏ ତେବେ ବିଜେଡି ବିରୋଧରେ ବିଦ୍ରୋହ କରିବେ କି ସମୀର ଦାଶ?