ବିଜେଡି ବିରୋଧରେ ବିଜେପି ଓ କଂଗ୍ରେସର ଅଘୋଷିତ ମେଣ୍ଟ । ରାଜନଗରରେ ଶାସକ ଦଳ ପ୍ରାର୍ଥୀଙ୍କୁ ହରାଇବା ପାଇଁ ବିରୋଧୀଙ୍କ ରଣନୀତି

328

କନକ ବ୍ୟୁରୋ: କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ କରି ନିର୍ବାଚନରେ ଲଢ଼େଇ ହେବା ଖବର ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏମିତି ଏକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଳାର ରାଜନଗର ବ୍ଲକ ଅଞ୍ଚଳରୁ । ଶାସକ ଦଳ ବିଜେଡିକୁ ହରାଇବା ପାଇଁ ହେଲେ ବିଜେପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ କରିବାକୁ ପଡିବ ବୋଲି ଧରି ନେଇଛନ୍ତି ସ୍ଥାନୀୟ ନେତା । ଆଉ ଅଘୋଷିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

ରାଜନଗର ଅଞ୍ଚଳର କଂଗ୍ରେସ ନେତା ମାଧବ ଚନ୍ଦ୍ର ମାନ୍ନାଙ୍କ କିଛି କଥା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଯେଉଁ କଂଗ୍ରେସ ଓ ବିଜେପି ମଧ୍ୟରେ ସାରାଦେଶରେ ଅହି ନକୁଳ ସମ୍ପର୍କ ରହିଛି, ସେହି ବିଜେପି ସହ ତୃଣମୂଳ ସ୍ତରରେ ଅଘୋଷିତ ମେଣ୍ଟ କରି ଶାସକ ବିଜେଡିକୁ ଚେକ୍ ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଯେଉଁଠି ବିଜେପି ସରପଞ୍ଚ ପ୍ରାଥୀ ଦେବ ସେଠି କଂଗ୍ରେସ ସମିତି ସଭ୍ୟ ଓ ଯେଉଁଠି ବିଜେପି ସମିତି ସଭ୍ୟ ପ୍ରାର୍ଥୀ ଦେବ ସେଠି କଂଗ୍ରେସ ସରପଞ୍ଚ ପ୍ରାର୍ଥୀ ଦେବା ପାଇଁ ସ୍ଥିର କରିଛନ୍ତି । ଆଉ ଏହି ପ୍ରସ୍ତାବକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ସ୍ଥାନୀୟ ବିଜେପି ନେତା । ଯାହାକି ରାଜନଗର ରାଜନୀତିକୁ ସରଗରମ କରିଛି ।

କୁହାଯାଉଛି ରାଜନଗର ବ୍ଲକର ଡାଙ୍ଗମାଳ ପଞ୍ଚାୟତରୁ ଆରମ୍ଭ ହୋଇଛି ଏହି ମେଣ୍ଟ ପ୍ରକ୍ରିୟା । ଡାଙ୍ଗମାଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଭାବେ କଂଗ୍ରେସ ପକ୍ଷରୁ ପ୍ରତିମା ସେଠୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ବିଜେପି ପକ୍ଷରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଜଗବନ୍ଧୁ ସେଠୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଏଥିରୁ ବିଜେଡିକୁ ଫାଇଦା ମିଳିବ ବୋଲି କହିଛନ୍ତି ଦଳୀୟ ନେତା । ତେବେ କୁହାଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହେଁ । ରାଜନୀତିରେ ସବୁକିଛି ସମ୍ଭବ । ଆଉ ରାଜନଗରରେ ଯଦି ବିଜେପି ଓ କଂଗ୍ରେସ ପରସ୍ପର ଭିତରେ ବୁଝାମଣା କରି ନିର୍ବାଚନ ଲଢ଼ନ୍ତି ତେବେ ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ ହେବ ।