ଆସନ୍ତାକାଲି କେନ୍ଦ୍ରୀୟ ନେତାଙ୍କ ପ୍ରଚାରରେ କମ୍ପିବ ଓଡ଼ିଶା । ଆସୁଛନ୍ତି ରାହୁଲ ଗାନ୍ଧୀ ଓ ଜେପି ନଡ୍ଡା

118

କନକ ବ୍ୟୁରୋ : ରାଜ୍ୟର ନିର୍ବାଚନୀ ମାହୋଲ ସରଗରମ ହୋଇ ଆସୁଥିବାବେଳେ, ଓଡିଶାରେ ପ୍ରଚାର କରିବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଓ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ । କଟକ ସାଲେପୁର କୂଳିଆରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ରହିଥିବାବେଳେ, ବ୍ରହ୍ମପୁରରେ ରହିଛି ଜେପି ନଡ୍ଡାଙ୍କ ନିର୍ବାଚନୀ ସଭା । ସେହିପରି ଜେପି ନଡ୍ଡାଙ୍କ ଗସ୍ତ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଶେଷ ପର୍ଯ୍ୟାୟରେ ପହଁଚିଛି । ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

– କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ
– ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ
– ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ
– ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ
– ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିବେ

– ଅପରାହ୍ନ ସାଢ଼େ ୪ଟାରେ ଜେପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ
– ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରେ ପହଁଚିବେ
– ସନ୍ଧ୍ୟା ସାଢ଼େ ୫ଟାରେ ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ
– ୬ଟା ୪୫ରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ବ୍ରହ୍ମପୁରରେ ରାତ୍ରି ଯାପନ କରି ସକାଳେ ଦିଲ୍ଲୀ ଫେରିଯିବେ ଜେପି ନଡ୍ଡା ।

ରାହୁଲଙ୍କ କାର୍ଯ୍ୟକ୍ରମରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଆସନର କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେହିପରି ଜେପି ନଡ୍ଡାଙ୍କ ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟ ଲୋକସଭା କ୍ଷେତ୍ରର ବିଜେପି କର୍ମୀ ଓ କାର୍ଯ୍ୟକର୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ଦିନରେ କେନ୍ଦ୍ରର ଦୁଇ ହେଭିୱେଟ୍ ଓଡିଶା ଆସୁଥିବାରୁ, ପ୍ରଚାର ମଇଦାନରେ ବଡ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।