କଂଗ୍ରେସ ସାମ୍ନାରେ ନୂଆ ସମସ୍ୟା । ପ୍ରଚାର କମିଟିରୁ ଅରିଫ ନସିମ ଖାନଙ୍କ ଇସ୍ତଫା, ପ୍ରଶ୍ନ ଭିତରେ କଂଗ୍ରେସ କାର୍ଯ୍ୟନୀତି

406

କନକ ବ୍ୟୁରୋ : କଂଗ୍ରେସ ମୁସଲିମ ତୃଷ୍ଟିକରଣ ରାଜନୀତି କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଜେପି ନେତାମାନେ ଅଭିଯୋଗ କରୁଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କଂଗ୍ରେସ ମୁସଲିମ ପ୍ରାର୍ଥୀ ଦେଉନଥିବା ଅଭିଯୋଗ ଆଣି ଷ୍ଟାର ପ୍ରଚାରକ ତାଲିକାରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଅରିଫ ନସିମ ଖାନ । ‘କଂଗ୍ରେସକୁ ମୁସଲିମ ଭୋଟ ଦରକାର, କିନ୍ତୁ ମୁସଲିମ ପ୍ରାର୍ଥୀ ନୁହେଁ’ ଦଳର ସଭାପ ତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି ନସିମ ଖାନ । ମହାରାଷ୍ଟ୍ରରେ ମହା ବିକାଶ ଅଘାଡି(ଏମଭିଏ) ମେଂଟ ୪୮ ଲୋକସଭା ଆସନରୁ ଜଣେ ବି ମୁସଲିମ ପ୍ରାର୍ଥୀ ଦେଇନାହିଁ । ଯାହା ସଂଖ୍ୟାଲଘୁଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି ନସିମ ।

ନସିମ ଖାନଙ୍କ ବୟାନ ପରେ ସର୍ବଦା ସଂଖ୍ୟାଲଘୁଙ୍କୁ ପ୍ରାର୍ଥୀ ତାଲିକାରେ ଗୁରୁତ୍ୱ ଦେଉଥିବା କଂଗ୍ରେସ କାହିଁକି ସୁମଲିମ ପ୍ରାର୍ଥୀ ଦେଉନି ତାକୁ ନେଇ ପ୍ରଶ୍ନ ଉଠିଛି । କଂଗ୍ରେସ ସରକାରରେ ମୁସଲିମଙ୍କ ପ୍ରଥମ ଅଧିକାର ଥିଲା ବୋଲି ନିକଟରେ ନିର୍ବାଚନୀ ରାଲିରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏପରିକି ବହୁବାର ମୁସଲିମଙ୍କୁ ସମର୍ଥନ ଲାଗି କଂଗ୍ରେସକୁ ବିଜେପି ନେତାମାନେ ସମାଲୋଚନା ମଧ୍ୟ କରନ୍ତି । ଏଥିପାଇଁ କଂଗ୍ରେସର ହିନ୍ଦୁ ଭୋଟ କମୁଥିବା ଆଶଙ୍କା କରି ଦଳ ଏଥର କମ ମୁସଲିମ ପ୍ରାର୍ଥୀ ଦେଇଥିବା କୁହାଯାଉଛି । ମହାରାଷ୍ଟ୍ରରେ କଂଗ୍ରେସ ଅବା ଏମଭିଏ ମେଂଟ ଗୋଟିଏ ମୁସଲିମ ପ୍ରାର୍ଥୀ ନଦେବାକୁ ନେଇ କଂଗ୍ରେସର ବିଚାରଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ନସିମ ଖାନ । ନସିମ କହିଛନ୍ତି, ଯେତେବେଳେ ତାଙ୍କୁ ମୁସଲିମ ଲୋକ ଅବା ମୁସଲିମ ସଙ୍ଗଠନ ପ୍ରଶ୍ନ କରିବେ କାହିଁକି କଂଗ୍ରେସ ଜଣେ ବି ମୁସଲିମ ପ୍ରାର୍ଥୀ ଦେଲାନି ସେ ତାଙ୍କୁ ଉତର ଦେଇପାରିବେ ନାହିଁ । ତେଣୁ ସେ ପ୍ରଚାରକ ତାଲିକାରୁ ଇସ୍ତଫା ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସବୁ ମୁସଲିମ ଭୋଟ ପାଇବା ନେଇ କଂଗ୍ରେସ ବିଶ୍ୱାସ କରୁଛି କିନ୍ତୁ କାହିଁକି ମୁସଲିମଙ୍କୁ ଟିକେଟ ଦେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ସଭାପତି ନସିମ ଖାନଙ୍କ ଏଭଳି ବୟାନ ପରେ ମୁସଲିମ ପାର୍ଟି ଏଆଇଏଆଇଏମ ତାଙ୍କୁ କଂଗ୍ରେସ ଛାଡି ତାଙ୍କ ଦଳରେ ସାମିଲ ହେବାକୁ ଆହ୍ୱନ ଦେଇଛି ।