ଦାଉ ସାଧିଲା ଅଦିନିଆ ବର୍ଷା । ମଣ୍ଡିରେ ଭିଜିଲା ଅମଳ ଧାନ । ନିମ୍ନମାନର କହି ଫେରାଉଛନ୍ତି ମିଲର୍ସ

83

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଗଲା ଧାନ । ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ଧାନ ଭିଜି ନଷ୍ଟ ହେବାକୁ ବସିଲାଣି । ସେପଟେ ଧାନ ଭିଜିଥିବାରୁ ନିମ୍ନମାନର କହି ଫେରାଇ ଦେଉଛି ମିଲର୍ସ । ବରଗଡ ଜିଲ୍ଲାର ପାଇକମାଲ ସମବାୟ ସମିତି ଓ ଜାମସେଠ ସମବାୟ ସମିତି ଅଧୀନରେ ୭ଟି ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ମଣ୍ଡିରୁ ଧାନ ଉଠାଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ବରଗଡ ଜିଲ୍ଲା ପଦ୍ମପୁୁର-ନୂଆପଡା ରାସ୍ତାର ବରତୁଣ୍ଡା ଛକଠାରେ ଚାଷୀ ରାସ୍ତା ରୋକ କରିଥିଲେ । ଚାଷୀଙ୍କ ଅଭିଯୋଗ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କୁ ବିଭାଗ ପକ୍ଷରୁ ତାରପୋଲିନ୍ ଯୋଗାନଯିବାରୁ ଧାନ ଭିଜିଗଲା । ଆଉ ଏବେ ମିଲର୍ସ ନିମ୍ନମାନର ଧାନ କହି କଟନି ଛଟନି ପାଇଁ ମୁଲଚାଲ କରୁଛି । ଏନେଇ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ହେଲା ନାହିଁ, ବରଂ ମଣ୍ଡିରେ ପଡି ରହି ଧାନ ନଷ୍ଟ ହେଉଛି । ତେଣୁ ତୁରନ୍ତ ଧାନ ଉଠାଣ ଦାବିରେ ଚାଷୀ ଆନ୍ଦୋଳନରେ ବସିଥିଲେ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଚାଷୀ ହଟିଛନ୍ତି ।

ସେପଟେ ଧାନ ସଂଗ୍ରହକୁ କେନ୍ଦ୍ର କରି ଗଜପତି ଜିଲ୍ଲାରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ଧାନ ସଂଗ୍ରହ ଅନୁମତିରେ ପାତର ଅନ୍ତର କରି ଗୋଟିଏ ଏସଏଚଜି ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି । ପାରଳାଖେମୁଣ୍ଡି –ମୋହନା ମୁଖ୍ୟ ରାସ୍ତାର ଅବରୋଧ କରି ଆନ୍ଦୋଳନ କରିଛନ୍ତି ଏସଏଚଜି ସଦସ୍ୟ । ସେପଟେ ସମାନ ଅଭିଯୋଗରେ ଜଙ୍ଗଲପାଡୁ ଛକରେ ମଧ୍ୟ ରାସ୍ତାରୋକ କରିଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଛନ୍ତି ।