ଆକାଶରୁ ହେଉଛି ଅଗ୍ନିବର୍ଷା । ୪୪.୭ ଡିଗ୍ରୀ ସହ ଅନୁଗୁଳ ପାଲଟିଲା ରାଜ୍ୟର ଉତପ୍ତ ସହର, ୪ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ

153

କନକ ବ୍ୟୁରୋ : ଆକାଶରୁ ବର୍ଷୁଛି ନିଆଁ । ତାତିରେ ସିଝୁଛି ସାରା ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ୧୦ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଆଗମାୀ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ସ୍ଥିତି । ସବୁଠୁ ବଡ଼ କଥା ହେଲା ଆଜି ପ୍ରବଳ ତାତିରେ ଜଳିଛି ରାଜଧାନୀ । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ସାରା ରାଜ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି । ଆଗକୁ ଆଉ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ତାପମାତ୍ରା । ୩୦ଟି ଯାକ ଜିଲ୍ଲା ଆଂଚଳିକ ପାଣିପାଗ କେନ୍ଦ୍ରର ଚେତାବନୀ ପରିସରରେ ରହିଛି ।
୨୮ ତାରିଖ ଅର୍ଥାତ ଆସନ୍ତାକାଲି ୧୩ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ । ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପୂରୀ ଓ କୋରାପୁଟ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନ୍ୟ ଜିଲ୍ଲା ପାଇଁ ରହିଛି ଅରେଂଜ ୱାର୍ଣ୍ଣିଂ ।

୨୯ ତାରିଖରେ ମଧ୍ୟ ଏକା ସ୍ଥିତି । ୧୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଦିଆଯାଇଛି । ବାକି ୧୬ ଜିଲ୍ଲା ପାଇଁ ଦିଆଯାଇଛି ଅରେଂଜ ୱାର୍ଣ୍ଣିଂ ।
ଏପ୍ରିଲ ୩୦ ଓ ମେ’ ୧ ତାରିଖରେ ୮ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ । କିଛି ଜିଲ୍ଲାରେ ତାପମାତ୍ରା କିଛିଟା ହ୍ରାସ ପାଇଲେ ବି ତାତିର ଅନୁଭୂତି କମିବ ନାହିଁ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର ।

କାହିଁକି ତାତିରୁ ମିଳୁନି ତ୍ରାହି?
ଜାରି ରହିିଛି ଉଷ୍ମ-ଆର୍ଦ୍ର ଜଳବାୟୁ ସ୍ଥିତି
ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ବହୁଛି ଶୁଷ୍ମ ଓ ଗରମ ବାୟୁ
କାଳବୈଶାଖୀର ପ୍ରଭାବ ନାହିଁ

କିପରି ନିଜକୁ ରଖିବେ ସୁରକ୍ଷିତ?
ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ
ଜରୁରୀ କାର୍ଯ୍ୟ ଥିଲେ ମୁଣ୍ଡରେ ଓଦା କପଡ଼ା, ଛତା ଓ ପାଣିବୋତଲ ନେଇ ବାହାରକୁ ଯାଆନ୍ତୁ
ଦିନ ୧୧ଟାରୁ ୩ ଟା ମଧ୍ୟରେ କଠିନ ପରିଶ୍ରମ କାର୍ଯ୍ୟ କରନ୍ତୁ ନାହିଁ
ଗର୍ଭବତୀ, ହୃଦରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ସତର୍କ ରୁହନ୍ତୁ
ଲେମ୍ବୁୁପାଣି, ତୋରାଣି, ଓଆର୍ଏସ୍ ଆଦି ପ୍ରଚୁର ପରିମାଣରେ ପିଅନ୍ତୁ
ଚା’, କଫି, ମଦ ଆଦି ପିଅନ୍ତୁ ନାହିଁ

ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ହେଉଛି ତାତି । ଗତ ୧୨ ଦିନ ହେଲା ୪୦ ଡିଗ୍ରୀ ଉପରେ ତାପମାତ୍ରା । ଆଜି ଚଳିତ ସିଜିନ୍ରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଉତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହିଛି ।