ପଡିଲା ଭୋଟ, ସରିଲା ରାଷ୍ଟ୍ରପତି ନିର୍ବାଚନ। ମଇଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ବିରୋଧୀମେଣ୍ଟ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମୁକାବିଲା।

159

କନକ ବ୍ୟୁରୋ: ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନେ ଭୋଟ ଦେଇଛନ୍ତି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟା ଅପରାହ୍ନ ୫ଟା ଯାଏଁ ଚାଲିଥିଲା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ମୈଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଦ୍ରୌପଦୀଙ୍କ ସମର୍ଥନରେ ୪୪ଟି ଦଳ ରହିଥିବା ବେଳେ ଯଶୱନ୍ତଙ୍କ ସମର୍ଥନରେ ୩୪ଟି ଦଳ ରହିଛି । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହୁଏ ନାହିଁ । ପ୍ରାୟ ୪ ହଜାର ୮ ଶହ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ଏହି ମତଦାନରେ ଭାଗନେଇଥିଲେ ମୁର୍ମୁଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ୍ ମିଳିପାରେ ବୋଲି ଆଶା କରାଯାଉଛି । ମୋଟ୍ ୧୦ ଲକ୍ଷ ୮୬ ହଜାର ୪୩୧ ମୂଲ୍ୟ ଭୋଟ୍ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟଭୋଟ୍ ମିଳିବାର ସମ୍ଭାବନା ରହିଛି ।

ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗ ମଧ୍ୟ ହୋଇଛି । ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶା ଓ ଆସାମରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ବରେଲୀରୁ ସପା ବିଧାୟକ ସହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନରେ ଭୋଟ ଦେଇଛନ୍ତି । ଗୁଜରାଟରେ ଶରଦ ପାୱାରଙ୍କ ଦଳ ଏନସିପି ବିଧାୟକ କନ୍ଧାଲ ଏସ୍ ଜାଜେଡା ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡିଛି । ଆସାମର ଏଆଇୟୁଡିଏଫର ବିଧାୟକ କମରିମୁଦ୍ଧିନ ବାରୁଭୁଇଆ ଦାବି କରିଛନ୍ତି ବି କଂଗ୍ରେସ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି । ସେହିପରି ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମେତ ତେଲଗୁ ଦେଶମ ପାର୍ଟି, ଶିବସେନା, ଜେଏମ୍ଏମ୍, ବିଏସପି ଏବଂ ଅକାଳୀ ଦଳ ଭଳି ଅନେକ ଦଳ ସମର୍ଥନ ଦେଇଛନ୍ତି । ମୁର୍ମୁଙ୍କୁ ପ୍ରାର୍ଥୀ କରି ମୋଦି ଯେଉଁ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଚାହିଁଥିଲେ ତାହା ସତ ହୋଇଛି । ନିଜ ସହଯୋଗୀ ଦଳଙ୍କ ବ୍ୟତିତ ବିରୋଧୀ କ୍ୟାମ୍ପରୁ ଅନେକ ଦଳ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଛନ୍ତିି । ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍ ଗଣତି କରାଯିବ । ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ନେବେ ।