କମୁଛି କି ବିଜେଡି-ବିଜେପି ମଧ୍ୟରେ ଦୂରତା? ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

269

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ଓଡିଆ ଝିଅ । ତେଣୁ ନବୀନଙ୍କ ଖୋଲା ସମର୍ଥନକୁ ନେଇ ବିରୋଧୀ କଂଗ୍ରେସ ଏତେଟା ପ୍ରତିକ୍ରିୟାଶୀଳ ହୋଇନଥିଲା । କିନ୍ତୁ ଧନଖଡ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉ ହେଉ ନବୀନ ସମର୍ଥନ ଘୋଷଣା କରିଦେଲେ, ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି-ବିଜେପିର ସମ୍ପର୍କକୁ ନେଇ ରାଜନୈତକ ମହଲରେ ଅନକେ ଚର୍ଚ୍ଚା ହେଉଛି । ଆଉ ଏହି ସମ୍ପର୍କକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଦୂରତା ବେଶୀ କିଛି ନାହିଁ । ଏହି ପ୍ରତିକ୍ରିୟା ପରେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁବେଳେ ବିଜେଡି ବିଜେପି ଓ କଂଗ୍ରେସଠାରୁ ସମଦୂରତାର କଥା କହିଛି । କିନ୍ତୁ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପରେ ଚର୍ଚ୍ଚା ହେଉଛି, ଏନଡିଏ ପ୍ରତି ବିଜେଡିର ଆଭମୁଖ୍ୟ ବଦଳୁଛି କି ?

ଦିଲ୍ଲୀରେ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରମୁଖ ନେତା ଉପସ୍ଥିତ ଥିଲେ । ବିଜେଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ ସାମିଲ ହୋଇଥିବା ଦେଖାଯାଇଥିଲା । କିନ୍ତୁ ବିରୋଧୀ କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରପାରନାହିଁ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସମଦୂରତା ନାହିଁ ନିବିଡ ସମ୍ପର୍କ ରହିଛି । ସିବିଆଇ ଭୟରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛି । ସେପଟେ ବିଜେପି କହିଛି, ବିଜେଡି ଯାହା କରିଛି ଠିକ କରିଛି ।

ଗତଥର ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏକୁ ସମର୍ଥନ କରିଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ୟପିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜେଡି । ଏବେ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଏନଡିଏକୁ ସମର୍ଥନ ରାଜନୈତିକ ମହଲ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଛି ।