ଆଜିଠୁ ମହଙ୍ଗା ହେଲା ପ୍ୟାକେଟ ହୋଇଥିବା ମୁଢ଼ି, ଚୁଡା, ଗୁଡ: ଲାଗିଲା ୫ପ୍ରତିଶତ ଜିଏସଟି

140

କନକ ବ୍ୟୁରୋ: ଆଜିଠାରୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ମୁଢ଼ି ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଅବଶ୍ୟ ଖୋଲାରେ କିମ୍ବା ଗ୍ରାହକଙ୍କ ଆଗରେ ଦୋକାନୀ ପ୍ୟାକିଂ କରି ବିକିଲେ ଲାଗୁ ହେବନାହିଁ ଜିଏସଟି । କିନ୍ତୁ ଏବେ ମୁଢ଼ି ସମେତ ପ୍ୟାକେଟ୍ରେ ଅନ୍ୟ କୃଷି ଓ ଦୁଗ୍ଧଜାତ ଜିନିଷ ବିକିଲେ ମଧ୍ୟ ୫ ପ୍ରତିଶତ ଜିଏସଟି ବା ସାମଗ୍ରୀ ଓ ସେବା କର ଦେବାକୁ ହେବ ।

ଖୋଲାରେ ମୁଢ଼ିକୁ ରଖିଲେ ନଷ୍ଟ ହେବା ଆଶଙ୍କା ଥିବାରୁ ଅଧିକାଂଶ ଦୋକାନରେ ଏହା ପ୍ୟାକେଟ ଆକାରରେ ରଖା ଯାଇଥାଏ । ତେଣୁ ଏହି ପ୍ୟାକେଟରେ ମୁଢ଼ି ବିକିଲେ ଏଣିକି ୫ ପ୍ରତିଶତ ଟିକସ ଦେବାକୁ ହେବ । ଓଡ଼ିଶାରେ ମୁଢ଼ି ପ୍ରମୁଖ ଖାଦ୍ୟ ଏବଂ ଅନେକ ଛୋଟ ବ୍ୟବସାୟୀ ଏହା ଉପରେ ନିର୍ଭର କରୁଥିବାରୁ ଜିଏସଟି ପ୍ରତ୍ୟାହାର ପାଇଁ ଦାବି ହୋଇଛି ।

ଆଉ ଏହି ପ୍ରସଙ୍ଗ ମଧ୍ୟ ଉଠିଛି ବିଧାନସଭାରେ । ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି କଂଗ୍ରେସ । ମୁଢ଼ିରେ ଟିକସକୁ ଗରିବଙ୍କ ପେଟରେ ଲାତ ବୋଲି ବର୍ଣ୍ଣନା କରିଛି ଦଳ । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା ନଥିବା କହି ଦୋଷ ଛଡ଼ାଇ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଅନ୍ୟପଟେ ଜିଏସଟି କାଉନ୍ସିଲ୍ରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର କାହିଁକି ମୁହଁ ଖୋଲିନଥିଲେ, ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ମୋହନ ମାଝି । ବିଧାନସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିବା ବେଳେ କେନ୍ଦ୍ରକୁ ଅର୍ଥମନ୍ତ୍ରୀ ଚିଠି ଲେଖନ୍ତୁ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

କେବଳ ମୁଢ଼ି ନୁହେଁ ଅନେକ ଖାଦ୍ୟ ସାମଗ୍ରୀ ଜିଏସଟି ପରିସରକୁ ଆସିଛି । କିଛି ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ପାଇଛି । ନଜର ପକାଇବା ଆଜିଠାରୁ କାହା ଉପରେ ପଡ଼ିବ କେତେ ଜିଏସଟି?
ପ୍ୟାକେଟରେ ଲେବୁଲ୍ ଲାଗି ବିକ୍ରି ହେଉଥିବା

ମୁଢ଼ି, ଚୁଡ଼ା, ଗୁଡ଼, ମହୁ, ଅଟା, ଦହି, ପନିର, ଅଟା, ଚାଉଳ ଚୂନା – ୫ ପ୍ରତିଶତ
୫ ହଜାର ଟଙ୍କା ଉପରେ ହସ୍ପିଟାଲ୍ ରୁମ୍ ରେଂଟ୍ – ୫ ପ୍ରତିଶତ
ମ୍ୟାପ୍, ଚାର୍ଟସ୍, ଆଟ୍ଲାସ୍ – ୧୨ ପ୍ରତିଶତ
ସୋଲାର୍ ୱାଟର୍ ହିଟର୍ – ୧୨ ପ୍ରତିଶତ
ବ୍ୟାଙ୍କ ଚେକ୍ସ – ୧୮ ପ୍ରତିଶତ
ଫ୍ରଂଟିଙ୍ଗ, ଡ୍ରଇଂ, ଡ୍ରଇଂ କାଳି, ଛୁରୀ, ପେନ୍ସିଲ୍ କଟର୍ – ୧୮ ପ୍ରତିଶତ
ଏଲ୍ଇଡି ଲ୍ୟାମ୍ପ – ୧୮ ପ୍ରତିଶତ
ରାସ୍ତା, ପୋଲ, ରେଳବାଇ, ମେଟ୍ରୋ ଆଦି ଠିକା କାମ – ୧୮ ପ୍ରତିଶତ