କୁଳମଣିଙ୍କ ପାଇଁ ରାସ୍ତାରେ ବିଛା ଯାଇଥିଲା ହତ୍ୟାର ଷଡଯନ୍ତ୍ର । ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା ପାଇଁ ପ୍ରସ୍ତୁତ ଥିଲେ ଅପରାଧୀ ।

1,985

କନକ ବ୍ୟୁରୋ : କୁଳମଣି ବରାଳଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏକଥା ଆମେ କହୁନୁ, ବରଂ ଘଟଣାସ୍ଥଳର ସ୍ଥିତି ହିଁ ବୟାନ କରୁଛି । କୁଳମଣିଙ୍କ ଗତିବଧିକୁ ଅନୁଧ୍ୟାନ କରୁଥିବା ଏହି ଦୁର୍ବୃତମାନେ ପୂର୍ବ ନିଦ୍ଧାରିତ ଯୋଜନା ଅନୁସାରେ, ରାସ୍ତା ଉପରେ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର ।

ଶୀତ ଦିନିଆ ସନ୍ଧ୍ୟା । ଚାରିଆଡେ ଶୁନଶାନ । ନିଜ ଷଡ଼ଯନ୍ତ୍ରକୁ ବାସ୍ତବ ରୁପ ଦେବା ଦୁର୍ବୃତମାନେ, ରାସ୍ତାକଡ଼ରେ ଥିବା ଷ୍ଟ୍ରିଟ୍ ଲାଇଟର ସଂଯୋଗକୁ ପ୍ରଥମେ କାଟି ଦେଲେ । ଷ୍ଟିଟ୍ ଲାଇଟ୍ ବନ୍ଦ ହୋଇଯିବାରୁ ଚାରିଆଡେ ଅନ୍ଧାର ହୋଇଗଲା । ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ ରାସ୍ତା ଉପରେ ବଡ଼ ବଡ଼ ଦୁଇଟି କାଠଗଣ୍ଡି ଆଣି ପକାଇ ଦେଇଥିଲେ ଦୁର୍ବୃତ । ଚାରିଆଡେ ବୁଦାଳିଆ ଗଛ । ଆଉ ଏହାରି ଭିତରେ ଦୃର୍ବତମାନେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଛକି ରହିଥିଲେ ।

ଠିକ୍ ସେହି ସମୟରେ ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ, ସେହି ରାସ୍ତା ଦେଇ ଫେରୁଥିଲେ । ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିବା ବେଳେ ଅଚାନକ୍ ରାସ୍ତା ଉପରେ ଅଟକି ଯାଇଥିଲେ ଦୁଇ ଜଣ, କାରଣ ରାସ୍ତା ଉପରେ ପଡ଼ିଥିଲା କାଠଗଣ୍ଡି ।

ଆଉ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ ।

ଆଉ ଏହା ପରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଜଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୂଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରୁ ହସ୍ପିଟାଲ ନେବା ରାସ୍ତାରେ କୂଳମଣି ବରାଳ, ଆକ୍ରମଣକାରୀଙ୍କ ନାଁ କହିଥିବା ଦାବି କରିଛନ୍ତି, ମୃତ କୂଳମଣୀଙ୍କ ପୁଅ ।

ବଡ଼ କଥା ହେଉଛି, ଏହି ହତ୍ୟାକାଣ୍ଡ ସହିତ ବିକାଶ ଜେନା ହତ୍ୟାକାଣ୍ଡର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । କାରଣ, ଠିକ୍ ସମାନ ଢ଼ଙ୍ଗରେ ଯଁକୋଟୀ ଶୁକୁନଈ ବନ୍ଧ ରାସ୍ତାକଡ଼ରେ ଯଚିନ୍ଦ୍ର ଜେନାଙ୍କ ପୁଅ ବିକାଶ ଜେନାଙ୍କ ହତ୍ୟା କରାଯାଇଥିଲା । ଯେତେବେଳେ ଠିକ୍ ସମାନ ଢ଼ଙ୍ଗରେ ଦୁର୍ବୃତମାନେ ଦଳବଦ୍ଧ ଭାବେ ବିକାଶକୁ ଆକ୍ରମଣ କରିଥିଲେ, ଠିକ୍ ଯେମିତି କୂଳମଣୀ ବରାଳଙ୍କୁ ହତ୍ୟା କରାଯାଇଛି ।

କୂଳମଣୀ ବରାଳ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଦର୍ଶାଇଥିଲେ । ଏମିତି କି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବାର ଆଶଙ୍କା କରି ପୁଲିସ୍ ପ୍ରଶାସନକୁ ଅବଗତ କରିଥିଲେ । ଆଉ ଏହାରିି ଭିତରେ କୁଳମଣୀଙ୍କ ସହ ଦୁଇ ଜଣଙ୍କୁ ଦୃର୍ବୃତମାନେ ଆକ୍ରମଣ କରି ହତ୍ୟା କରିଛନ୍ତି ।

ବିକାଶ ଜେନାଙ୍କ ହତ୍ୟା ଘଟଣାରେ ମଧ୍ୟ ସମାନ ଢ଼ଙ୍ଗରେ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଥିଲା, ଠିକ୍ ଯେମିତି କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କ କ୍ଷେତ୍ରରେ ଅଭିଯୋଗ ହୋଇଛି । ଆଉ ବାରମ୍ବାର ଏଭଳି ଘଟୁଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।