କୋଭାକ୍ସିନ୍ ବନାମ କୋଭିସିଲ୍ଡ: ଭାରତରେ ଭୂତାଣୁ ମାରିବାକୁ ଅନୁମତି ପାଇଥିବା ଦୁଇଟି ଭ୍ୟାକ୍ସିନର ଦମ୍ କେତେ?

183

କନକ ବ୍ୟୁରୋ: ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ । ଅର୍ଥାତ ଦୁଇଟି ଟିକା ପ୍ରସ୍ତୁତ ହୋଇ ରହିଛି । କରୋନା ମହାମାରୀର ଏହି ଲମ୍ବା ଲଢେଇର ମୁକାବିଲା କରିବା ପାଇଁ ତୟାର କୋଭିସିଲଡ ଏବଂ କୋଭାକସିନ । ଆଉ କିଛି ଦିନ ମଧ୍ୟରେ ଭାରତରେ ଆରମ୍ଭ ହୋଇଯିବ ସମୁହ ଟିକାକରଣ । କୋଭିସିଲ୍ଡ ହେଉଛି ସେହି ଟିକା ଯାହାକୁ ବ୍ରିଟେନ ସମେତ ଅନ୍ୟ ଦେଶମାନେ ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ କୋଭାକ୍ସିନର ଅନୁମତି ବେଳେ କିଛିଟା ସର୍ତ ରହିଛି । କାରଣ ଏହେ ଏବେ ବି କ୍ଲିନିକାଲ ଟ୍ରାଏଲ ମୋଡରେ ରହିଛି । ଭାରତରେ ଅନୁମତି ପାଇଥିବା ଏହି ଦୁଇଟି ଟିକାକୁ ତୁଳନା କଲେ କିଛି ଏପରି ତଥ୍ୟ ସାମନାକୁ ଆସେ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନିକା ଏହି କୋଭିସିଲଡ ଭାକସିନ ପ୍ରସ୍ତୁତ କରିଛନ୍ତି । ଭାରତରେ ଏହାର ପରୀକ୍ଷଣ ଦାୟିତ୍ୱ ନେଇଥିଲା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ସମୁହ ଟିକାକରଣ ପାଇଁ କୋଭିସିଲଡ ଉତ୍ପାଦନ ମଧ୍ୟ ସେରମ କରୁଛି । 

କୋଭାକ୍ସିନ୍

ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ମିଳିତ ସହଯୋଗରେ ତିଆରି ହେଉଛି କୋଭାକସିନ । ଏହାର ଟ୍ରାଏଲ ଏବେ ଚୂଡାନ୍ତ ତୃତୀୟ ପର୍ଯ୍ୟାୟରେ ରହିଛି । ଆଇସିଏମର ନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଆଉ ସପ୍ତାହେ ମଧ୍ୟରେ ଫୁଲ ଟ୍ରାଏଲ ଶେଷ ହୋଇଯିବ ।  

କୋଭିସିଲ୍ଡ

ସିମ୍ପାଞ୍ଜିକୁ ସାଧାରଣ ଥଣ୍ଡା ସଂକ୍ରମଣ ବେଳେ ତା ଦେହରେ ଥାଏ ଆଡିନୋ ଭୂତାଣୁ । ଏହି ଭୂତାଣୁକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି କୋଭିସିଲଡ । ଏହି ଭୂତାଣୁ ଦୁର୍ବଳ ହେବା ପରେ ଏହାକୁ ବ୍ୟବହାର କରାଯାଇଛି । 

କୋଭାକ୍ସିନ୍

କୋଭାକ୍ସିନ୍, ମୃତ ବା ନିଷ୍କ୍ରିୟ କରୋନା ଭୂତାଣୁରୁ ତିଆରି ହୋଇଛି । ମେଡିକାଲ ଭାଷାରେ ଏହାକୁ କୁହାଯାଏ ଇନଆକ୍ଟିଭେଟେଡ ଭ୍ୟାକ୍ସିନ । ଟିକା ଦେବା ପରେ ଏହି ଭୂତାଣୁଟି ସଂକ୍ରମଣ କରିପାରେନାହିଁ । କିନ୍ତୁ ଟିକାର ଗୋଟିଏ ସଟ ପ୍ରକୃତ ଭୂତାଣୁକୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ । ଆଉ ଯେତେବେଳେ ସଂକ୍ରମଣ ହୁଏ ଏହା ତା ସହିତ ଲଢେଇ କରିଥାଏ ।

କୋଭିସିଲ୍ଡ

କୋଭିସିଲଡ ଟିକା ୭୦ ପ୍ରତିଶତ ଫଳପ୍ରଦ ବୋଲି ନିର୍ମାତାମାନେ ଦାବି କରିଛନ୍ତି । କୌଣସି ଭାକସିନ ୫୦ ପ୍ରତିଶତରୁ ଅଧିକ ଫଳପ୍ରଦ ହେଲେ ତାହାକୁ ଗ୍ରହଣ କରାଯାଇଥାଏ । ସେହି ଦୃଷ୍ଟିରୁ କୋଭିସିଲଡର ସଫଳତା ହାର ଭଲ ରହିଛି । 

କୋଭାକ୍ସିନ୍

କୋଭାକସିନ ଏବେ କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟରେ ରହିଥିବାରୁ ଏହାର ଫଳପ୍ରଦ ହାର ସର୍ବସାଧାରଣ କରାଯାଇନାହିଁ । 

କୋଭିସିଲ୍ଡ

କୋଭିସିଲ୍ଡ ଭାକସିନ ୨ଟି ଡୋଜରେ ଦିଆଯିବ । ଭାରତରେ ସିରମ ଇନଷ୍ଟ୍ିଚ୍ୟୁଟ ପକ୍ଷରୁ ୨ଟି ଡୋଜ ଦିଆଯାଇ ଏହାର ପରୀକ୍ଷଣ କରାଯାଇଥିଲା । ୬ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯିବ ।

କୋଭାକ୍ସିନ୍

କୋଭାକସିନ ଭାକସିନ ମଧ୍ୟ ୨ଟି ଡୋଜରେ ଦିଆଯିବ । ତେବେ କେତେଦିନର ବ୍ୟବଧାନରେ ଦିଆଯିବ ତାହା ଭାରତ ବାୟୋଟେକ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ୨ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ ଦିଆଯିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଥିଲା ।

କୋଭିସିଲ୍ଡ

କୋଭିସିଲଡକୁ ସଂରକ୍ଷିତ କରି ରଖିବା ପାଇଁ ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ଆବଶ୍ୟକ ପଡିଥାଏ । ତେଣୁ ସାଧାରଣ ଫ୍ରିଜର ଡିପ-ଫ୍ରିଜରେ ଏହାକୁ ରଖାଯାଇପାରିବ ।

କୋଭାକ୍ସିନ୍

କୋଭାକସିନ ଟିକା ୨ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ସଂରକ୍ଷିତ କରାଯିବ । ପୂର୍ବ ଭ୍ୟାକ୍ସିନ ଗୁଡିକ ଭଳି ସାଧାରଣ ଡିପ-ଫ୍ରିଜରେ ଏହାକୁ ରଖାଯାଇପାରିବ । 

କୋଭିସିଲ୍ଡ

ଭାରତ ସରକାରଙ୍କ ଡ୍ରଗସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ କହିଛନ୍ତି, ଉଭୟ କୋଭିସିଲଡ ଏବଂ କୋଭାକସିନ ୧୧୦ ପ୍ରତିଶତ ନିରାପଦ । ଏବଂ ଯେଉଁ ପାଶ୍ୱର୍ପ୍ରତିକ୍ରିୟା ସବୁ ରହିଛି ତାହା ଅନ୍ୟ ସବୁ ଭାକସିନ ଭଳି, ତେଣୁ ଏହା ଚିନ୍ତାଜନକ ନୁହେଁ । 

କୋଭାକ୍ସିନ୍

କୋଭାକସିନ ଏକ ଟାଇମ ଟେଷ୍ଟେଡ ଭ୍ୟାକ୍ସିନ ହୋଇଥିବାରୁ ଏହାର ପାଶ୍ୱର୍ ପ୍ରତିକ୍ରିୟା ଆଦୌ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଭାରତ ବାୟୋଟେକର ବିଶେଷଜ୍ଞ । ପୂର୍ବରୁ ପ୍ରସ୍ତୁତ ହେଉଥିବା ଭାକସିନର ପ୍ରଣାଳୀ କୋଭାକସିନ କ୍ଷେତ୍ରରେ ମଧ୍ୟ କରାଯାଇଥିବାରୁ ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି କୁହାଯାଇଛି ।