ଜଗା ଦର୍ଶନ ପାଇଁ ଅଡୁଆ ହେଉଛି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଘରୋଇ ହସପିଟାଲ ବିରୋଧରେ ଆସିଲା ମନଇଚ୍ଛା ରିପୋର୍ଟ ଦେଉଥିବା ଅଭିଯୋଗ ।

150

କନକ ବ୍ୟୁରୋ : ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆତୁର ହୋଇ ରହିଥିବା ଭକ୍ତ, କୋଭିଡ୍ ରିପୋର୍ଟ ପାଇବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏପଟେ ଅଭିଯୋଗ ହୋଇଛି, ମନଇଚ୍ଛା କୋଭିଡ୍ ରିପୋର୍ଟ ଦେଇଛି ଏହି ଘରୋଇ ହସପିଟାଲ୍ । ନିୟମ ଅନୁସାରେ ମାତ୍ର ୨୦୦ ଟେଷ୍ଟ କରିବାକୁ ଏହି ହସପିଟାଲକୁ ଅନୁମତି ଥିବା ବେଳେ ଗୋଟିଏ ଦିନରେ ହଜାରରୁ ଅଧିକ ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ।

କେବଳ ଏତିକି ନୁହେଁ, ପୁରୀ ବାହାର ଲୋକଙ୍କ ଟେଷ୍ଟ ପାଇଁ ବାରଣ ଥିଲେ ବି ତାକୁ ମଧ୍ୟ ପାଳନ କରାଯାଇନାହିଁ । ଆଉ ଟେଷ୍ଟ ସଂପର୍କରେ ସରକାରଙ୍କୁ ମଧ୍ୟ ସୂଚନା ଦେଇନାହିଁ ଏହି ଘରୋଇ ହସପିଟାଲ୍ । କୋଭିଡ୍ ରିପୋର୍ଟରେ ଜାଲିଆତି ଓ ଟେଷ୍ଟିଂରେ ଅନିୟମତତା ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୁରୀ ସ୍ୱାସ୍ଥ୍ୟ ବିଭାଗ ।

ଗୋଟିଏ ପଟେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟପଟେ ଦର୍ଶନାର୍ଥୀଙ୍କ କୋଭିଡ ଟେଷ୍ଟ ପାଇଁ କିଛି ସରକାରୀ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ ।

ଦୈନିକ ୧୫ରୁ ୧୭ ହଜାର ଦର୍ଶନ ପାଇଁ ଅନୁମତି ଥିବା ବେଳେ କରୋନା କଟକଣା ଯୋଗୁଁ ଦୁଇ ଦିନରେ ଖୁବ କମ୍ ସଂଖ୍ୟକ ଭକ୍ତ ଶ୍ରୀମନ୍ଦିରକୁ ଆସିଛନ୍ତି । ଦର୍ଶନ ବ୍ୟବସ୍ଥାରେ ଥିବା କଟକଣା କୋହଳ କରିବାକୁ ଦାବି ହୋଇଛି ।