ରାଜନେତା ବନିବା ପାଇଁ ୨୪ ମଇଦାନରେ ଡାକ୍ତର । ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇ ଲଢୁଛନ୍ତି ନିର୍ବାଚନ ।

324

କନକ ବ୍ୟୁରୋ: ବଦଳୁଛି ରାଜନୀତିର ପରିଭାଷା । ଏବେ ଜନ ପ୍ରତିନିଧି ହୋଇ ଜନତାଙ୍କ ସେବା କରିବାକୁ ଆଗେଇ ଆସିଛନ୍ତି ଉଚ୍ଚ ଶିକ୍ଷିକ ବ୍ୟକ୍ତି । ଚଳିତ ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ଲଢୁଛନ୍ତି ଅନେକ ଡାକ୍ତର । ଦିନେ ରୋଗୀ ସେବା କରୁଥିଲେ । ଆଜି ଜନ ସେବା କରିବାକୁ ନିର୍ବାଚନ ମୈଦାନରେ ହୋଇଛନ୍ତି ପ୍ରତିଦ୍ୱନ୍ଦି ।

ସଂଜୟ ଦାସ
ଧାମନଗରରେ ବିଜେଡିିର ବିଧାୟକ ପ୍ରାର୍ଥୀ ଡାକ୍ତର ସଂଜୟ ଦାସ । ଖରାରେ ବୁଲି ପ୍ରଚାର କରିବା ବେଳେ ରୋଗୀ ସେବା କରିବାକୁ ଭୁଲୁ ନାହାନ୍ତି । ରୋଗୀ ସେବାରୁ ରାଜନୀତିକୁ କେମିତି ଆସିଲେ, ପଚାରିଲେ କୁହନ୍ତି ଏସସିବିରେ ପଢ଼ିବା ବେଳେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ରକ୍ତ ପାଇଁ କିପରି ହଇରାଣ ହୁଅନ୍ତି ସେ ଦେଖିଛନ୍ତି । ତେଣୁ ସେମାନଙ୍କ ସୁବିଧା ପାଇଁ ଲାଗିପଡ଼ନ୍ତି । ଏକ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମଂଚ ସେୟାର କରିବା ବେଳେ ତାଙ୍କ ଭାଷଣ ଶୁଣି ଛାତ୍ର ନେତା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ନିଜ ମାଟି ପାଇଁ କିଛି କରିବାର ଇଚ୍ଛା ରଖି ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି ।

ପ୍ରମୋଦ ମଲ୍ଲିକ
ନିଆଳିରୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ମଲ୍ଲିକ ପେଶାରେ ଜଣେ ଡାକ୍ତର । ଯଦିଓ ଦୀର୍ଘ ୧୫ ବର୍ଷ ହେଲା ସେ ବିଧାୟକ ଭାବେ ଜନ ସେବା କରି ଆସୁଛନ୍ତି କିନ୍ତୁ ଜଣେ ଜଣାଶୁଣା ଡାକ୍ତର ଭାବେ ଦୀର୍ଘ ଦିନ ରୋଗୀ ସେବା ମଧ୍ୟ କରିଛନ୍ତି ।

ଦେବସ୍ମିତା ଶର୍ମା
ଆଳି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦେବସ୍ମିତା ଶର୍ମା । ଦେବସ୍ମିତା ହେଉଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ । ପେଶାରେ ଡାକ୍ତର କିନ୍ତୁ ନିଶା ଜନସେବା । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବାକୁ ସେ ରାଜନୀତି ମୈଦାନକୁ ଓହ୍ଲାଇଥିବା କହିଛନ୍ତି ।
ରାଜଗାଙ୍ଗପୁର ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ସିଏସ ରଂଜନ ଏକ୍କା । ୨୦୧୯ ନିର୍ବାଚନରେ ଏହି ଆସନରୁ ସେ କଂଗ୍ରେସ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ସେହିପରି ପେଶାରେ ଡାକ୍ତର ଥିବା ରାଜଶ୍ରୀ ମଲ୍ଲିକ ଜଗତସିଂହପୁର ଆସନରୁ ନିର୍ବାଚନ ଲଢୁଛନ୍ତି ।

ସ୍ୱାସ୍ଥ୍ୟ ସେବାକୁ ସୁଧାରିବାରେ ଯେତିକି ଅବଦାନ ସ୍ୱାସ୍ଥ୍ୟକର୍ମୀଙ୍କର ରହିଛି ସେତିକି ଅବଦାନ ନିର୍ବାଚିତ ପ୍ରତିନିଧିଙ୍କର ମଧ୍ୟ ରହିଛି । ତେଣୁ ଜନ ପ୍ରତିନିଧି ହୋଇ ଲୋକଙ୍କ ସେବା କରିବାକୁ ଅଂଟା ଭିଡ଼ିଛନ୍ତି ଅନେକ ଡାକ୍ତର ଓ ଉଚ୍ଚ ଶିକ୍ଷକ ବ୍ୟକ୍ତି ।