ମୁଖ୍ୟମନ୍ତ୍ରୀ ଆସନ ପାଇଁ ଟଣାଓଟରା ଗେହଲଟ ଓ ପାଇଲଟ । ଇସ୍ତଫା ଦେଲେଣି ୯୦ରୁ ଅଧିକ ବିଧାୟକ, ପର୍ଯ୍ୟବେକ୍ଷକଙ୍କ ଆଗରେ ରଖିଲେ ସର୍ତ୍ତ

116

କନକ ବ୍ୟୁରୋ: କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଝଡ ଉଠିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ରାଜସ୍ଥାନରେ ଦେଖାଦେଇଛି ରାଜନୈତିିକ ସଙ୍କଟ । ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକଙ୍କ ମଧ୍ୟରୁ ୯୦ରୁ ଅଧିକ ବିଧାୟକ ଅଶୋକ ଗେହଲଟ କିମ୍ବା ତାଙ୍କ ବିଶ୍ୱସ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ଇସ୍ତଫା ଦେଇଛନ୍ତି ।

ବିଧାୟକମାନେ ରବିବାର ବିଳମ୍ବିତ ରାତିରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ବି ଦେଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଦିଲ୍ଲୀରୁ ଯାଇଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲିକାର୍ଜୁନ ଖଡଗେ, ୱାନ-ଟୁ-ୱାନ ଆଲୋଚନା କରିବା ପାଇଁ ବିଧାୟକମାନଙ୍କୁ ଡାକିଥିଲେ ବି ସେମାନେ ସିଧାସଳଖ ମନା କରିଦେଇଥିଲେ । ପ୍ରତିନିଧି ହିସାବରେ ଦଳର ତିନି ବରିଷ୍ଠ ନେତା ଆଲୋଚନା କରିବାକୁ ଯାଇଥିଲେ । ଆଉ ସେମାନେ ପର୍ଯ୍ୟବେକ୍ଷକଙ୍କ ଆଗରେ ସର୍ତ୍ତ ରଖିଥିଲେ । ରଖିଥିବା ସର୍ତ୍ତ ଗୁଡିକ ହେଉଛି –

– କଂଗ୍ରେସ ସଭାପତି ହେବା ପରେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କ୍ଷମତା ଦେବା ନେଇ ସଙ୍କଳ୍ପ ପାରିତ

– ଗେହଲଟଙ୍କ ପ୍ରତି ବିଶ୍ୱସ୍ତ ଥିବା ୧୦୨ ବିଧାୟକଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ

– ୨୦୨୦ରେ ବିଦ୍ରୋହ କରିଥିବା ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀରୁ କେହି ମୁଖ୍ୟମନ୍ତ୍ରୀ ହେବେନାହିଁ

– ୱାନ ଟୁ ୱାନ କଥାବାର୍ତ୍ତା ବଦଳରେ ଗୋଷ୍ଠୀରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ

  • ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
  • ବିଦ୍ରୋହୀ ସାଜିଲେ ଅଶୋକ ଗେହଲଟ!

ରାଜସ୍ଥାନ କଂଗ୍ରେସରେ ଉଠିଥିବା ଝଡ ପାଇଁ ଅଶୋକ ଗେହଲଟଙ୍କ ଭୂମିକା ସମ୍ପୂୂର୍ଣ୍ଣ ସନ୍ଦେହ ଘେରକୁ ଚାଲି ଆସିଛି । ଅଶୋକ ଗେହଲଟ ହିଁ ଏହି ନାଟକର ସୂତ୍ରଧର ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ଗୋଟିଏ ପଟେ ଗାନ୍ଧୀ ପରିବାରକୁ ଅସନ୍ତୁଷ୍ଟ ନକରି ସଭାପତି ପଦରେ ଲଢ଼ିବା ପାଇଁ ରାଜି ହୋଇଛନ୍ତି, ଆଉ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ପ୍ରତି ଲୋଭ ଯୋଗୁଁ ସେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି । ଯେତେବେଳେ ବିଧାୟକ ଦଳ ବୈଠକ ଡକାଯାଉଛି, ଠିକ୍ ସେତିକିବେଳେ ତାଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କ ଘରେ ବିଧାୟକଙ୍କୁ ନେଇ ବୈଠକ ବସୁଛି । ଆଉ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଉଛି । ଏସବୁ ପଛରେ ଗେହଲଟଙ୍କ ହାତ ରହିଛି । ଯାହାକୁ ନେଇ ଅଶୋକ ଗେହଲଟଙ୍କୁ ଦୋଷ ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।

ଅସ୍ତନ୍ତୁଷ୍ଟ ବିଧାୟକଙ୍କ ପଛରେ ଗେହଲଟଙ୍କ ହାତ ସ୍ୱଷ୍ଟ ବାରିହୋଇପଡୁଥିଲେ ବି ସେ କହିଛନ୍ତି ତାଙ୍କ ହାତରେ କିଛି ନାହିଁ । ବିଧାୟକମାନେ ରାଗିକି ଅଛନ୍ତି ସେମାନେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ନାହାଁନ୍ତି । ତେବେ ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ବିଧାୟକଙ୍କ ଦାବିକୁ କିପରି ଗ୍ରହଣ କରିବେ ଏବଂ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ନଜର ରହିଛି ।

ରାଜସ୍ଥାନର ଝଡ ପରେ ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନର ରାଜନୈତିକ ସ୍ଥିତି ବିଷୟରେ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ରାଜସ୍ଥାନର ହାଇଡ୍ରାମା ପରେ ଅଶୋକ ଗେହଲଟ ସଭାପତି ରେସରୁ ବାଦ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।