ଗଛ ସାଥୀ ପୂର୍ଣ୍ଣ ସାର୍, ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ବଡ ଉଦାହରଣ।

71

କନକ ବ୍ୟୁରୋ: ବିଶ୍ୱ ବର୍ତ୍ତମାନ ଜଟିଳ ପରିସ୍ଥିତି ଦେଇ ଗତିକରୁଛି । ବିଶେଷ କରି ତାପମାନ ବୃଦ୍ଧି, ପ୍ରଦୂଷଣ, ଅତ୍ୟଧିକ ବୃଷ୍ଟିପାତ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି । ତେବେ ଏହାକୁ ଛାଡି ସୁନାମି, ଭୂମିକମ୍ପ ମଧ୍ୟ ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହି ସମସ୍ତ ସମସ୍ୟା ପାଇଁ ମାନବସମାଜ ହିଁ ଦାୟୀ । ତେବେ ଏଇ ନିକଟରେ ଆମେ ଦେଖୁଛି ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି । ତାମମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହେଉଛି ଗଛ ସଂଖ୍ୟା ହ୍ରାସ । ଯେତିକି ପରିମାଣର ଗଛ ପୂର୍ବରୁ ଥିଲା ବର୍ତ୍ତମାନ ସେତିକି ଗଛ ନାହିଁ ଯାହା ଫଳରେ ବିଶ୍ୱତାପମାନ ବୃଦ୍ଧିପାଉଛି ।

ଏହିଭଳି ପରିସ୍ଥିତିକୁ ପରିବର୍ତ୍ତନ ପାଇଁ ଆଗେଇଆସିଛନ୍ତି ପୂର୍ଣ୍ଣସାର । ଭଦ୍ରକ ଏନସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ । ଗଛକୁ ଭଲ ପାଉଥିବା ମଣିଷଟିଏ ପୂର୍ଣ୍ଣ ସାର । ନିଜ ଘରଠାରୁ ନେଇ ବାଡିବଗିଚାରେ ଗଛ ଲଗାଇଛନ୍ତି ସେ । କେବଳ ଔଷଧୀୟ ଗଛ ଯେ ନୁହେଁ ବିଭିନ୍ନ ରକମର ଫଳମୂଳ ଗଛ ତାଙ୍କ ବଗିଚାରେ ରହିଛି । ସେ ଅଙ୍ଗୁର ହେଉ କି ଲିଚୁ ଅବା ତେଜପତ୍ର । ତାଙ୍କ ବଗିଚାରେ ସେ ସବୁରହିଛି । ତେବେ ଏ ସବୁକୁ ନେଇ ସେ ବିଭିନ୍ନ ସ୍କୁଲ ଓ ମନ୍ଦିରରେ ବାଣ୍ଟିଦେଉଛନ୍ତି । ଏହା କରି ସେ ବହୁତ ଖୁସି ହେଉଥିବା କହିଛନ୍ତି ।

ତାଙ୍କର ଏହି ଉଦ୍ୟମରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ସହଯୋଗ କରିଥାନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ସ୍ୱାମୀଙ୍କ ଏହି ଉଦ୍ୟମରେ ସବୁବେଳେ ତାଙ୍କ ସହ ରହିଆସିଛନ୍ତି । ବର୍ତ୍ତମାନ ସମୟରେ ଯୁବପିଢୀ ପରିବେଶଠାରୁ ଦୂରେଇ ଯାଉଥିବା ବେଳେ ସେ ଆହ୍ୱାନ ଦେଇଛନ୍ତି କେଉଁଭଳି ଅଧିକରୁ ଅଧିକ ଗଛ ଲଗାଇ ଆମେ ଆମ ପରିବେଶକୁ ସବୁଜ ସୁନ୍ଦର କରିପାରିବା । ଗଛ ଲଗାଇଲେ ଯେ କେବଳ ପରିବେଶର ସୁରକ୍ଷା ହେବ ତାହା ନୁହେଁ ଏହା ଦ୍ୱାରା ଆମେ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିବା ବୋଲି ତାଙ୍କର ମତ । ଯଦି ସମସ୍ତେ ଏହିଭଳି ଉଦ୍ୟମ କରିବେ ତେବେ ଆମେ ଆମ ପରିବେଶକୁ ପୂର୍ବଭଳି ଦେଖିପାରିବା ।

ପୂର୍ଣ୍ଣସାର ଅବସର ପରେ ପରିବେଶ ସୁରକ୍ଷାକୁ ବ୍ରତଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ବଡ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଆସନ୍ତୁ ଆପଣମାନେ ମଧ୍ୟ ଗଛ ଲଗାନ୍ତୁ ଆଉ ପରିବେଶକୁ ସବୁଜ ସୁନ୍ଦର କରନ୍ତୁ । ତେଣୁ ଆସନ୍ତୁ ଆମେ ଆମ ପୁରୁଣା ପୃଥିବୀକୁ ଫେରାଇଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀର ସଙ୍କଳ୍ପ ନେବା ।