ମେଣ୍ଟ ଭାଙ୍ଗିଦେବ “ବଜେଟ” ! ଏନଡିଏରୁ ଓହରିବାକୁ ଚନ୍ଦ୍ରବାବୁଙ୍କ ଧମକ, ୨୦୧୯ରେ ପୂରା ଫିଲ୍ମ ଦେଖାଇବାକୁ ଶିବସେନାର ଚେତାବନୀ

62

ମୋଦି ସରକାରଙ୍କ ପାଇଁ ବଢିଲା ଚିନ୍ତା । ଗୁରବାର ଲୋକସଭାରେ ପୂର୍ଣ୍ଣକାଳୀନ ବଜେଟ ଆଗତ ହେବା ପରେ ମୋଦି ସରକାର ପାଇଁ ବିପଦ ମାଡି ଆସିଛି । ଗୋଟିଏ ପଟେ ସାଧାରଣ ଲୋକ ଚଳିତ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅନ୍ୟପଟେ ଏନଡିଏକୁ ବାଏ ବାଏ କରିବାକୁ ଅଣ୍ଟା ଭିଡିଲେଣି ସହଯୋଗୀ ଦଳ । ଯାହା ମୋଦି ସରକାରଙ୍କ ଚିନ୍ତା ବଢାଇଛି । ଏନଡିଏରେ ସାମିଲ ଥିବା ଦୁଇ ସହଯୋଗୀ ଦଳ ଶିବସେନା ଓ ଟିଡିପି ଏବେ ମୋଦି ସରକାରଙ୍କ ହାତ ଛାଡିବାକୁ ମନ ବଳାଇ ସାରିଲେଣି ।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଚଳିତ ବଜେଟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ମୋଦିଙ୍କ ବଜେଟ ବାକ୍ସରେ ଆନ୍ଧ୍ର ପାଇଁ ବିଶେଷ କିଛି ନ ଥିବାରୁ ତାତି ଉଠିଛନ୍ତି ଚନ୍ଦ୍ରବାବୁ । ତେବେ ଏହା ପୂର୍ବରୁ ମଧ୍ୟ ଏନଡିଏରୁ ବାହାରି ଯିବାକୁ ଚନ୍ଦ୍ରବାବୁ ନାଇଡୁ ଇସାରା କରିଥିଲେ । କାରଣ ରାଜ୍ୟ ବିଜେପି ନେତୃବୃନ୍ଦ ଚନ୍ଦ୍ରବାବୁ ସରକାରଙ୍କୁ ନେଇ ବିଭିନ୍ନ ସମୟରେ ଆଲୋଚନା କରୁଥିଲେ । ଏନଡିଏରେ ସହଯୋଗୀ ଦଳ ଭାବେ ଟିଡିପି ଥିବା ବେଳେ ରାଜ୍ୟ ବିଜେପି କର୍ମୀ ଚନ୍ଦ୍ରବାବୁଙ୍କ ସରକାରକୁ ସମାଲୋଚନା କରିବା ଏହା ତାଙ୍କ ପକ୍ଷେ ଅସହ୍ୟ ହୋଇଥିଲା । ଶେଷରେ ଏନେଇ ମୋଦିଙ୍କୁ ଭେଟିଥିଲେ ଚନ୍ଦ୍ରବାବୁ । ଏହାପରେ ଚନ୍ଦ୍ରବାବୁ ଏକ ବଡ ନିଷ୍ପତି ନେବାକୁ ଇଙ୍ଗିତ ମଧ୍ୟ କରିଥିଲେ । ତେବେ ଏସବୁ ଭିତରେ ମୋଦି ସରକାରଙ୍କ ବଜେଟ ଟିଡିପି ମନରେ ନିରାଶା ଖେଳାଇ ଦେଇଛି । ବଜେଟରେ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀ ପାଇଁ କୌଣସି ପ୍ୟାକେଜ ଘୋଷଣା ହୋଇନଥିବାରୁ ଟିଡିପି ଏବେ ଆରପାର ଲଢେଇ ଲଢିବାକୁ ନିଷ୍ପତି ନେଇଛି । ଟିଡିପି ଏବେ ମେଣ୍ଟର ଧର୍ମ ପାଳନ କରୁଛି କିନ୍ତୁ ଯଦି ବିଜେପି ଚାହୁଁନି ତାଙ୍କ ଦଳ ଏନଡିଏ ସହ ରହୁ ବୋଲି ତେବେ ତାଙ୍କୁ ନମସ୍କାର କରି ମେଣ୍ଟରୁ ଓହରିଯିବୁ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

କେବଳ ଟିଡିପି ନୁହେଁ ଶିବସେନା ମଧ୍ୟ ମୋଦି ସରକାର ତଥା ଏନଡିଏର ହାତ ଛାଡିବାକୁ ପ୍ରାୟତଃ ସ୍ଥିର କରି ସାରିଛି । ଶିବସେନାର ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଗୁଜରାଟ ନିର୍ବାଚନ ମୋଦି ସରକାରଙ୍କ ପାଇଁ ଟ୍ରେଲର ଥିଲା, ରାଜସ୍ଥାନ ଉପନିର୍ବାଚନ ଇଣ୍ଟରଭାଲ ଥିଲା କିନ୍ତୁ ୨୦୧୯ରେ ପୂରା ଫିଲ୍ମ ଦେଖିବେ ଦେଶବାସୀ । ଏହାଛଡା ତାଙ୍କ ଦଳ ୨୦୧୯ ସାଧାରଣ ନିର୍ବାଚନରେ ଏକାକୀ ଲଢିବ ବୋଲି କହିଛନ୍ତି ସଞ୍ଜୟ । ଯଦି ଟିଡିପି ଓ ଶିବସେନା ଏନଡିଏରୁ ଓହରି ଯାଆନ୍ତି ତେବେ ୨୦୧୯ ନିର୍ବାଚନ ମୋଦିଙ୍କ ପାଇଁ ଏତେ ସହଜ ହେବନି ।