ପଥର ମାଫିଆଙ୍କ ନଜରରେ ଅଂଶୁପାର ସରଣ୍ଡା ପାହାଡ ! ପ୍ରଶାସନର ନଜର ଆଢୁଆଳରେ ଜେସିବି ଲଗାଇ ବେଧଡକ ଚାଲିଛି ଖଣିଖନନ

56

କନକ ବ୍ୟୁରୋ : ବଢ଼ିଚାଲିଛି ଖଣିମାଫିଆଙ୍କ ପ୍ରାଦୁର୍ଭାବ । କିଛି ବର୍ଷ ହେବ କଟକ ଜିଲ୍ଲା ବାଙ୍କୀ ତହସିଲରେ ବେଶ ସକ୍ରିୟ ହୋଇପଡ଼ିଛନ୍ତି ଖଣି ମାଫିଆ । ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପାହାଡ଼କୁ ତାଡ଼ି ନଷ୍ଟ କରିଦେବାକୁ ମଧ୍ୟ ପଛଉ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଅଂଶୁପାରେ । ଇତିହାସର ସାକ୍ଷୀ ରହିଥିବା କଟକ ଜିଲ୍ଲା ବାଙ୍କୀ ତହସିଲ୍ ଅଧିନରେ ଥିବା ସରଣ୍ଡା ପାହାଡ ଉପରେ ପଡିଛି ଖଣିମାଫିଆଙ୍କ ଲୋଲୁପ ଦୃଷ୍ଟି । ଯାହାର ଏକ୍ସକ୍ଲୁସିଭ୍ ଚିତ୍ର ଲାଗିଛି କନକ ନ୍ୟୁଜର ହାତରେ । ପରିବେଶ ପ୍ରଦୂଷଣ ଗାଇଡଲାଇନକୁ ଉଲଂଘନ କରି ଜେସିବି ଲଗାଇ ପାହଡକୁ ଖୋଳି ପକାଉଛନ୍ତି ଖଣିମାଫିଆ ।

୧.ପରିବେଶ ପ୍ରଦୂଷଣ ଗାଇଡଲାଇନ୍ ସିରିଏଲ ନମ୍ବର ୨ କହୁଛି, ବନ୍ୟ ପଶୁପକ୍ଷୀ ବିଚରଣ କରୁଥିବା ସ୍ଥାନଠାରୁ ୫ କିଲୋମିଟର ପର୍ଯ୍ୟନ୍ତ ଅଂଚଳରେ ଶଦ୍ଧ ପ୍ରଦୂଷଣ ଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବନାହିଁ ।

୨. ସେହିଭଳି ଗାଇଡଲାଇନ୍ର ସିରିଏଲ ନମ୍ବର-୭ ଓ ୮ରେ ଲେଖାଅଛି, ହ୍ରଦ ନିକଟରୁ
୨ଶହ ମିଟର ପରିଧି ଭିତରେ ଥିବା ପଥରଖଣିକୁ ନିଲାମ ଦିଆଯିବ ।

୩. ଐତିହାସିକ ସ୍ଥାନ ଠାରୁ ୧ କିଲୋମିଟର ପରିଧି ଭିତରେ ଥିବା ଖଣିକୁ ମଧ୍ୟ ନିଲାମ ଦିଆଯିବାର ବ୍ୟବସ୍ଥା ରହିଛି ।

ହେଲେ ସରଣ୍ଡାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବିନା ନିଲାମରେ ବେଆଇନ ଭାବେ ଖଣି ଖୋଳି ମାଲାମାଲ ହେଉଛନ୍ତି ମାଫିଆ ଆଉ ସହୁ ଦେଖି ଆଖି ବୁଜିଦେଇଛି ପ୍ରଶାସନ ।

କେବଳ ସରଣ୍ଡା ପାହାଡ ନୁହେଁ, ବାଙ୍କୀ ତହସିଲରେ ଥିବା ଆହୁରି ଅନେକ ପାହାଡକୁ ପଥର ମାଫିଆମାନେ କବଜା କରିଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଦିବାଲୋକରେ ଖଣିମାଫିଆମାନେ ଜେସିବି ଲଗାଇ ପଥର ଖୋଳୁଥିବା ବେଳେ ଏ ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ । ଏଭଳି ସମ୍ବେଦନଶୀଳ ଘଟଣାରେ ବନଖଣ୍ଡ ଅଧିକାରୀ ତହସିଲଦାରଙ୍କ ମୁଣ୍ଡରେ ଦୋଷ ଲଦୁଥିବା ବେଳେ ସମାନ ଢଙ୍ଗରେ ନିଜ ମୁଣ୍ଡରୁ ଦୋଷ ହଟେଇ ଦେଇଛନ୍ତି ତହସିଲଦାର । ସରଣ୍ଡା ପାହଡରୁ ବେଆଇନ ପଥର ଖନନ ନେଇ ପ୍ରଶାସନିକ ବାବୁଙ୍କ ଖାମଖିଆଲି ଉତ୍ତର ଶୁଣିବା ପରେ ଲାଗୁଛି ଏସବୁ ଏଠାକାର ମାଫିଆ ଓ ପ୍ରଶାସନିକ ବାବୁଙ୍କ ମିଳାମିଶାରେ ଚାଲିଛି ।