ନୱାଜଙ୍କ ଭାଇ ଶେହବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ! ପିଏମଏଲ-ଏନର ଉଚ୍ଚସ୍ତରୀୟ ବୈଠକରେ ହେଲା ନିଷ୍ପତ୍ତି

43

କନକ ବ୍ୟୁରୋ: ଶେହବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନୱାଜ ସରିଫଙ୍କ ଇସ୍ତଫା ପରେ ତାଙ୍କ ସାନ ଭାଇ ଶେହବାଜ ସରିଫ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ । ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ବା ପିଏମଏଲ-ଏନର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳର ଶୀର୍ଷ ନେତୃତ୍ୱ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ।

ତେବେ ଶେହବାଜ ପାକିସ୍ତାନୀ ସଂସଦର ତଳିଆ ସଦନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ହୋଇ ନଥିବାରୁ ତୁରନ୍ତ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଯେଉଁଥିପାଇଁ ୪୫ ଦିନ ପାଇଁ ଅନ୍ୟ କାହାକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ପଦ ସମ୍ଭାଳିବାକୁ ପଡିବ । କାହାକୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯିବ ସେନେଇ ଆଜି ବୈଠକରେ ନିଷ୍ପତି ନିଆଯିବ । ତେବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ।

ଏଠାରେ ଆମେ କହିରଖୁଛୁ କି, ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ବିଦେଶରେ ସମ୍ପତି ରଖିବା ଅଭିଯୋଗରେ ଗତକାଲି ପାକିସ୍ତାନ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ନୱାଜ ସରିଫ୍ । ତେବେ ବିଦେଶରେ ସମ୍ପତି ରଖିବା ଅଭିଯୋଗ ନେଇ ପାନାମା ପେପରରେ ସରିଫଙ୍କ ନାଁ ପ୍ରକାଶ ପାଇଥିଲା । ପରେ ପାକିସ୍ତାନର ରାଜନୈତିକ ଦଳ ତଥା ଆବାମୀ ମୁସଲିମ ଲିଗ୍ , ଜମାତ ଏ ଇସଲାମୀ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାଖଲ ହୋଇଥିଲା । ୧୯୯୦ରେ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବିଦେଶରେ ଗୁପ୍ତ ଭାବରେ ସମ୍ପତି ରଖିଥିବା ନେଇ ପାନାମା ପେପରରେ ପ୍ରକାଶ ପାଇଥିଲା । ଗତବର୍ଷ ପାନାମା ପେପରରେ ବିଶ୍ୱର ବହୁ ନାମୀଦାମୀ, ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜର ସମ୍ପତି ଗୋପନଭାବେ ବିଦେଶରେ ରଖିଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା ।

ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହେବା ସହ ଜେଆଇଟିକୁ ତଦନ୍ତ ଭାର ଦିଆଯାଇଥିଲା । ବିଚାର ପରେ ଶେଷରେ ନୱାଜ ସରୀଫଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ୫ଜଣିଆ ଖଣ୍ଡପୀଠ । ୧୯୯୦ରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଥିବାବେଳେ ନୱାଜ ସରିଫ ବିଦେଶରେ ଗଲ୍ଫ ଷ୍ଟିଲ ମିଲ୍, ବିଶେଷ କରି ଲଣ୍ଡନରେ ଗୁପ୍ତ ଭାବରେ ସଂପତି ରଖିଥିବା ନେଇ ପାନାମା ପେପରରେ ପ୍ରକାଶ ପାଇଥିଲା ।

ଗତବର୍ଷ ବ୍ରିଟେନରେ ପାନାମା ପେପରରେ ବିଶ୍ୱର ୧୪୦ରୁ ଅଧିକ ନେତା ଓ ବହୁ ନାମିଦାମୀ, ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜର ସଂପତି ଗୋପନଭାବେ ବିଭିନ୍ନ ଦେଶରେ ଲୁଚାଇ ରଖିଥିବା ଲକ୍ଷ ଲକ୍ଷ ପୃଷ୍ଠାର ତଥ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ସରିଫଙ୍କ ନାମ ପ୍ରକାଶ ପାଇଥିଲା । ସରିଫଙ୍କର ଲଣ୍ଡନରେ ୪ଟି ଦାମି ଘର ସହ ଆଠଟି ସଂପତି ଥିବା ଅଭିଯୋଗ ଆସିଥିଲା । ଯେଉଁଥିରେ ପାକିସ୍ତାନ ବିରୋଧି ଦଳ ଟ୍ୟାକ୍ସ ଚୋରିହୋଇଥିବା ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଗତ ୨୦ ଏପ୍ରିଲରେ ଲଣ୍ଡନ ଘର କିଣା ଦୁର୍ନୀତିକୁ ନେଇ ଜେଆଇଟି ସ୍ୱତନ୍ତ୍ ଭାବେ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ ।

୧୯୯୯ରେ ମଧ୍ୟ ଏଭଳି ଅଭିଯୋଗ ଆସିଥିବାରୁ ସେ ସମୟରେ ନାସନାଲ ଆକାଂଉଟ ବ୍ୟୁରୋ ଏହାର ଯାଂଚ ଆରମ୍ଭ କରିଥିଲା । ସରିଫ୍ ପାନାମା ପେପର ଲିକକୁ ପ୍ରଥମେ ମାନୁନଥିବା ବେଳେ ଗତକାଲି ସୁପ୍ରିମକୋର୍ଟରେ ବିଚାର ପରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।