ରାଉରକେଲାରେ ମହିଳାଙ୍କୁ ମାଡ ଘଟଣାରେ ନୂଆ ମୋଡ ! ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ମହିଳା, ତଦନ୍ତ ପରେ ୩ ଗିରଫ

39

କନକ ବ୍ୟୁରୋ: ପିଲାଚୋର ସନ୍ଦେହରେ ରାଉରକେଲାରେ ଦିନ ମଜୁରିଆ ମହିଳାଙ୍କ ଗୋଡହାତ ବାନ୍ଧି ମାଡ ମାରିବା ଘଟଣା ନୂଆ ମୋଡ ନେଇଛି । ଦୁଷ୍କର୍ମ ଉଦ୍ୟମ କରାଯିବା ନେଇ ମହିଳା ଅଭିଯୋଗ ଆଣିବା ପରେ ଏସପିଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ୩ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ରାତିରେ ରାଉରକେଲା ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିରେ କିଛି ଲୋକଙ୍କ ମରଣାନ୍ତକ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ତେବେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା । ଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ତାଙ୍କୁ ଅଭିଯୁକ୍ତମାନେ ମାଡ ମାରିଥିବା ସେ କହିଛନ୍ତି । ଏହି ଘଟଣାକୁ ରାଉରକେଲା ଏସପି ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖ ଥାଉ କି, ପିଲା ଚୋର ସନ୍ଦେହରେ ଦିନ ମଜୁରିଆ ମହିଳାଙ୍କ ଗୋଡହାତ ବାନ୍ଧି  କିଛି ଲୋକେ ମାଡ ମାରିଥିଲେ । ଏତିକିରେ ସେମାନଙ୍କ ଆକ୍ରୋଶ ଥଣ୍ଡା ହୋଇନଥିଲା । ମହିଳାଙ୍କୁ ନିସ୍ତୁକ ମାଡ ବି ମାରିଥିଲେ । ରାଉରକେଲା ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମରଣାନ୍ତକ ଆକ୍ରମଣରେ ମହିଳା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଏସପିଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।