ବିଧାନସଭାରୁ ହଟିଲା କରୋନା କଟକଣା: ପ୍ରେସ ଗ୍ୟାଲେରିକୁ ମିଳିବ ପ୍ରବେଶ ଅନୁମତି

66

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ପରେ ଓଡିଶା ବିଧାନସଭାରୁ କୋଭିଡ କଟକଣା ହଟିଛି । ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସ୍ୱାଭାବିକ ଭାବେ ଚାଲିବ । ପୂର୍ବ ଭଳି ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରିକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ମଧ୍ୟ ମିଳିବ । ପୂର୍ଣ୍ଣ କ୍ଷମତାରେ ଗୃହକାର୍ଯ୍ୟ ଚାଲିବ ।

ସକାଳ ସାଢେ ୧୦ଟାରୁ ଅପରାହ୍ଣ୍ନ ୧ଟା ୩୦ ଏବଂ
ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଚାଲିବ ଅଧିବେଶନ

ଶୀତ ଅଧିବେଶନକୁ ସୁରୁଖୁରୁରେ ଚଲାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବିଧାନସଭାରେ ଲାଗୁ ହୋଇଥିବା କୋଭିଡ କଟକଣା ହଟିଛି । କିନ୍ତୁ ବିଧାୟକ ଚାହିଁଲେ ଭିଡିଓ କନଫରେନ୍ସିଂ ଜରିଆରେ ଗୃହକାର୍ଯ୍ୟରେ ସାମିଲ ହୋଇପାରିବେ । ଏଥି ପାଇଁ ବିଧାୟକଙ୍କୁ ପୂର୍ବରୁ ଲିଖିତ ଭାବେ ଜଣାଇବାକୁ ପଡିବ । ବିଚାର ବିମର୍ଶ କରିବା ପରେ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ବାଚସ୍ପତି । ଯାହାକୁ ତୀବ୍ର ବିରୋଧ କରିଛି ବିଜେପି । ବିରୋଧୀ ଦଳ ନେତା ଅଭିଯୋଗ କରିିଛନ୍ତି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୨୪ ତାରିଖରେ ଆରମ୍ଭ ହେଉଛି ଶୀତକାଳୀନ ଅଧିବେଶନ ଯାହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବା କାର୍ଯ୍ୟକ୍ରମ ରହିଛି । ଅଧିବେଶନର ପ୍ରଥମ ଦିନରେ ଗୃହରେ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ।