ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଉଠିପାରେ ରତ୍ନଭଣ୍ଡାର ପ୍ରସଙ୍ଗ

80

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ୧୦ ଦିନ ପରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ତେଣୁ ଏହାର ନୀତିକାନ୍ତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି । ବୈଠକରେ ନୀତିକାନ୍ତିରେ ଶୃଙ୍ଖଳା ଓ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହ କାର୍ତିକ ନୀତିକାନ୍ତି ଚୂଡ଼ାନ୍ତ ହେବ ।

ତେବେ, ରତ୍ନଭଣ୍ଡାରକୁ ନେଇ ପରିସ୍ଥିତି ସରଗରମ ଥିବାରୁ ପରିଚାଳନା କମିଟି ସଦସ୍ୟ ବୈଠକରେ ଏହି ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ବି ଏହି ପ୍ରସଙ୍ଗ ବୈଠକରେ ଉଠାଇବେ ବୋଲି ସୂଚନା ରହିଛି । ଏଭଳି ସ୍ଥିତିରେ ଜଣେ ଭକ୍ତ ମଧ୍ୟ ଗଜପତି ମହାରାଜାଙ୍କୁ ଚିଠି ଲେଖି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବାକୁ ନିବେଦନ କରିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ଏହି ପ୍ରସଙ୍ଗ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି ।