ବର୍ଷାରେ ଭିଜିବ ଦଶହରା ! ଅକ୍ଟୋବର ୧ରୁ ବଢିବ ବର୍ଷାର ପରିମାଣ; ଆଜି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

641

କନକ ବ୍ୟୁରୋ : ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ କଚ୍ଛରୁ ମୌସୁମୀ ଅପସାରିତ ହୋଇଥିଲା । ଏହାପରେ ମୌସୁମୀ ଅପସାରଣ ପ୍ରକ୍ରିୟା ଧୀର ହୋଇଯାଇଥିଲା । ଏବେ ପୁଣି ଦେଶର କିଛି ସ୍ଥାନରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦେଶର ଉତର-ପଶ୍ଚିମ ଭାଗର ଅନେକ ଅଂଶ ଓ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ମୌସୁମୀ ବାୟୁ ଅପସାରଣ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ସେପଟେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ଲାଗି ରହିଛି । ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଅଞ୍ଚଳର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ ଖୋର୍ଦ୍ଧା, ପୁରୀ । ସେହିପରି କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ଘଡ ଘଡି ସହ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।