ଚଉଡ଼ା ହେବ ପୁରୀ ବଡ଼ଦାଣ୍ଡ: ଉଭୟପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା

782

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେଉଁ ବ୍ୟାପକ ସୌନ୍ଦର୍ଯ୍ୟକରଣ ଚାଲିଛି, ତାହା ଆଉପାଦେ ଆଗେଇବାକୁ ଯାଉଛି । କାରଣ ପୁରୀ ବଡଦାଣ୍ଡର ପ୍ରସସ୍ତୀକରଣ ପାଇଁ ଯୋଜନା କରୁଛି ପ୍ରଶାସନ । ଉଭୟ ପଟରେ ପୁରୀ ବଡଦାଣ୍ଡକୁ ୨୦ ଫୁଟ ଲେଖାଏଁ ଚଉଡା କରିବାକୁ ପ୍ରସ୍ତାବ ରହିଛି । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ସଂଯୋଗ କରୁଥିବା ବଡଦାଣ୍ଡର ଓସାର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଅଛି । ଆଉ ଦୁଇ ପଟରେ ୨୦ଫୁଟ୍ ଲେଖାଏଁ ଅର୍ଥାତ ଏହା, ଆହୁରି ୪୦ ଫୁଟ ଓସାର ହେବାକୁ ଯାଉଛି । ଏଥିସହ ବଡଦାଣ୍ଡର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଯାହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଅବଢା ଯୋଜନା ଅନୁଦାନରେ ଏଥିପାଇଁ ଅନୁନ୍ୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ତେବେ ବଡଦାଣ୍ଡର ପ୍ରସସ୍ତୀକରଣ ପାଇଁ ଉଭୟ ପଟରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇପାରେ । ସଂପ୍ରସାରଣ ରାସ୍ତାରେ ଥିବା ନିର୍ମାଣଗୁଡିକୁ ଭାଙ୍ଗିବା ପାଇଁ ବିଚାର ଚାଲିଛି । ବଡଦାଣ୍ଡ ଉଭୟ ପଟରେ ୨୦ଫୁଟ ଓସାର କରିବାକୁ ଯୋଜନା ଥିବାରୁ ଶ୍ରୀନଅରର କ’ଣ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ନିୟମ ସମସ୍ତଙ୍କ ପାଇଁ ସମାନ ।

ପ୍ରଥମଦଫାରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡିକର ପ୍ରସସ୍ତୀକରଣ କରାଯାଉଛି । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ
– ବାଟମଙ୍ଗଳାରୁ ହସ୍ପିଟାଲ ଛକ ରାସ୍ତାର ପ୍ରସସ୍ତୀକରଣ ପାଇଁ ଜମି ଅଧିଗ୍ରହଣ ଚାଲିଛି
– ଏହାପରେ ଐତିହ୍ୟ ରାସ୍ତାଗୁଡିକର ପ୍ରସସ୍ତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ
– ଏହିକ୍ରମରେ ବାଲିସାହି ରାସ୍ତା ଓ ଶ୍ରୀଲୋକନାଥ ରାସ୍ତାର ପ୍ରସସ୍ତୀକରଣ ଯୋଜନା ରହିଛି
– ପୁରୀ ଚକ୍ରତୀର୍ଥ ରୋଡର କାମ ମଧ୍ୟ ଆରମ୍ଭ ହୋଇସାରିଥିବା କହିଛନ୍ତି ଜିଲ୍ଲାପାଳ
– ସୁଭାଷ ବୋସ ଛକରୁ ପେଣ୍ଠକଟା ଦେଇ ଭୂଦାନ ଛକ ପର୍ଯ୍ୟନ୍ତ ଅଧା ଫୋର ଲେନ ଓ ଅଧା ଡବଲ ଲେନ ରାସ୍ତା ହେବ

ମିଳିଥିବା ସୂଚନା ଅନୁସାରେ ବଡଦାଣ୍ଡ କରିଡର ପ୍ରକଳ୍ପର ଦୁଇଥର ସର୍ଭେ ହୋଇସାରିଛି । ଏହାର ପ୍ରାରମ୍ଭିକ ଡିଜାଇନ ବି ପ୍ରସ୍ତୁତ ହୋଇସାରିଥିବାବେଳେ ସଂପୂର୍ଣ୍ଣ ବଡଦାଣ୍ଡକୁ ପର୍ଯ୍ୟଟଙ୍କ ଆକର୍ଷଣ ପାଇଁ ସଜାଇ ଦିଆଯିବ ବୋଲି ଜଣାପଡିଛି । ଏପରିକି ବଡଦାଣ୍ଡ କରିଡର ପ୍ରକଳ୍ପକୁ ଓବିସିସି ନିଜେ ତତ୍ୱାବଧାନରେ କରିବାକୁ ଯାଉଛି ।