ଶିକ୍ଷକ ବଦଳି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ: ଛାତ୍ରଛାତ୍ରୀଙ୍କୁ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ବସାଇଲେ ଶିକ୍ଷକ 

58

କନକ ବ୍ୟୁରୋ: ସ୍କୁଲରେ ତାଲା ବାତ୍ୟା ଆଶ୍ରୟସ୍ଥଳୀରେ ପିଲା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ବନ୍ତିଳ ଗ୍ରାମର ଶ୍ରୀ ଜଗନ୍ନାଥ ସରକାରୀ ଉଚପ୍ରାଥମିକ ବିଦ୍ୟାଳୟ ରେ । ସ୍କୁଲର ଦୁଇ ଶିକ୍ଷକଙ୍କ ବଦଳିକୁ ଭିତ୍ତି କରି ଗ୍ରାମବାସୀ ଏବଂ ଅଭିଭାବକ ମାନେ ସ୍କୁଲ ଗେଟରେ ତାଲା ପକାଇ ସ୍କୁଲକୁ ବନ୍ଦ ରଖିଛନ୍ତି । ଘଟଣା ଅନୁଯାୟୀ ଏହି ସ୍କୁଲରେ ମୋଟ ୯ ଜଣ ଶିକ୍ଷକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ସଭାପତି ଏବଂ ଅଭିଭାବକଙ୍କ ଅଭିଯୋଗ କ୍ରମେ ଏହି ସ୍କୁଲରୁ ଡେପୁଟିସନ ଭାବରେ ଅନ୍ୟତ୍ର ବଦଳି କରାଯାଇଥିଲା ।

କିନ୍ତୁ ସମ୍ପୃକ୍ତ ଶିକ୍ଷକ ଦୁଇଜଣଙ୍କୁ ବ୍ଲକ ଶିକ୍ଷା ଅଧିକାରୀ କରିଥିବା ବଦଳି ନିର୍ଦ୍ଦେଶକୁ ରଦ୍ଦ କରି ପୁନଃ ସେହି ଶ୍ରୀ ଜଗନ୍ନାଥ ସରକାରୀ ଉଚପ୍ରାଥମିକ ବିଦ୍ୟାଳୟ ଠାରେ ନିଯୁକ୍ତି କରିଥିଲେ, ଯାହାକୁ ନେଇ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ଅସଅନ୍ତୋଷ ବ୍ୟକ୍ତ କରି ନିଯୁକ୍ତି ପାଇଥିବା ଦୁଇ ଶିକ୍ଷକଙ୍କୁ ସ୍କୁଲରୁ ବଦଳି କରିବାକୁ ଦାବି କରି ସ୍କୁଲ ଫାଟକରେ ତାଲା ପକାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଅସ୍ତରଙ୍ଗ ବ୍ଲକ ଉପଶିକ୍ଷାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ତାଲା ପକାଇଥିବା ଲୋକେ ସେମାନଙ୍କ ଜିଦିରେ ଅଟଳ ରହିଛନ୍ତି । ଯେ ପର୍ଯ୍ୟନ୍ତ ବଦଳି କରାଯାଇଥିବା ଶିକ୍ଷକଙ୍କ ବଦଳି ନ ହୋଇଛି ସେପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ସ୍କୁଲ ପରିଚାଳନା କମିଟର ସଭାପତି କହିଛନ୍ତି । ସେପଟେ ସ୍କୁଲ ତାଲା ପଡିଥିବା ଯୋଗୁଁ ସ୍କୁଲର ସହ ସହ ଛାତ୍ରଛାତ୍ରୀ ଏକ ବାତ୍ୟା ଆଶ୍ରୟସ୍ଥଳୀଠାରେ ବସି ରହିଛନ୍ତି ଏବଂ ସେମାନଙ୍କ ପାଠପଢା ବନ୍ଦ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି ।