ବର୍ଷା ହେଲାନି ବାଧକ ! ହକି ବିଶ୍ୱ ଲିଗରେ ମତୁଆଲା ହେଲେ ଦର୍ଶକ

42

ରାଜଧାନୀ ଭୁବନେଶ୍ୱରରେ ଏବେ ଚାଲିଛି ହକି ବିଶ୍ୱ ଲିଗ୍ । ହକି ଫିଭରରେ ମତୁଆଲା ଲୋକେ । ଲଘୁଚାପ ବର୍ଷା ସତ୍ୱେ କମିନି ଦର୍ଶକଙ୍କ ଭିଡ , ଗ୍ୟାଲେରୀ ଫୁଲ୍ । ଖେଳାଳିଙ୍କୁ ଉତ୍ସାହିତ କରିବାରେ ଉଠୁଛି ପଡୁଛି କଳିଙ୍ଗ ଷ୍ଟାଡିୟମ । ଦୁଇଦିନ ହେଲାଣି ଝିପି ଝିପି ବର୍ଷାରେ ବି ଲୋକଙ୍କର ଖେଳ ଦେଖିବାର ନିଶା ଏକ ନିଆରା ବାତାବରଣ ସୃଷ୍ଟିକରିଛି । ରଙ୍ଗ ବେରଙ୍ଗର ଛତା ଧରି , ଜ୍ୟାକେଟ ଆଦି ପରିଧାନ କରି ଲୋକେ ଛୁଟିଛନ୍ତି ହକି ଖେଳ ଦେଖିବାକୁ । ବର୍ଷାରେ ଭିଜି ଭିଜି ଖେଳ ଦେଖିବାର ଏକ ଅପୂର୍ବ ଅନୁଭବକୁ କେହି ଯେମିତି ହାତଛଡା କରିବାକୁ ଚାହୁଁନାହାଁନ୍ତି ।

ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ସକାଳୁ ବର୍ଷା ଲାଗିରହିଥିଲା । ଆଗରୁ ପାଣିପାଗ ବିଭାଗର ଆକଳନ ଥିଲା ବର୍ଷା ଅବପାତର ରୂପ ନେବ । ଲୋକଙ୍କ ମନରେ ଚିନ୍ତା ଥିଲା ବର୍ଷାରେ ଧୋଇ ଯିବକି ଖେଳର ମଜା । କିନ୍ତୁ ତା ହୋଇନଥିଲା । ବର୍ଷା ଯେପରି ହେବାର ଥିଲା ତା ନହୋଇ ଝିପି ଝିପି ବର୍ଷା ଲାଗିରହିଥିଲା । ଲାଗୁଥିଲା ବର୍ଷାରେ କମିଯିବ ଲୋକଙ୍କ ଭିଡ । କିନ୍ତୁ ଏହି ପରିସଂଖ୍ୟାନ ଭୁଲ୍ ପ୍ରମାଣିତ ହୋଇ ବହୁ ସଂଖ୍ୟାରେ ଲୋକେ ଖେଳ ଦେଖିବାକୁ ଛୁଟିଥିଲେ । ଆଉ ଭାରତ-ଆର୍ଜେଣ୍ଟନା ମଧ୍ୟରେ ଚାଲିଥିବା ପ୍ରଥମ ସେମିଫାଇନାଲ୍ ମ୍ୟାଚକୁ ମନ ଭରି ଉପଭୋଗ କରିଥିଲେ । ଏପଟେ ଅବାରିତ ବର୍ଷା । ସେପଟେ ଗ୍ୟାଲେରିରେ ଖଚାଖଚ୍ ଭିଡ ସହ ହୋହଲ୍ଲାରେ କମ୍ପୁଥିଲା କଳିଙ୍ଗ ଷ୍ଟାଡିୟମ । ପୂର୍ବଦିନ ଅର୍ଥାତ୍ ଗୁରୁବାର ଦିନ ଭାରତ ବେଲଜିୟମ ଠାରୁ ଦମଦାର ବିଜୟ ପ୍ରଦର୍ଶନ କରି ପ୍ରବେଶ କରିଥିଲା ସେମିଫାଇନାଲରେ । ଆଉ ଶୁକ୍ରବାର ଦିନ ମୁହାଁମୁହଁ ହୋଇଥିଲା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନା ସହ । ବର୍ଷା କୌଣସି ପ୍ରଭାବିତ କରିପାରିନି ହକି ଖେଳକୁ । ଖେଳରେ ସମସ୍ତେ ମଜି ଯାଇଥିଲେ । ଭାରତ କେମିତି ଗୋଲ କରିବ ଆର୍ଜେଣ୍ଟିନା ବିପକ୍ଷରେ ସେଥିରେ ସମସ୍ତେ ମାତିଥିଲେ । ବର୍ଷାକୁ ନଥିଲା ଖାତିର ।

ଉଲ୍ଲେଖନୀୟ ଯେ, ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ହକି ବିଶ୍ୱ ଲିଗ ଆସନ୍ତା ୧୦ ତାରିଖ ଯାଏ ଚାଲିବ । ବିଶ୍ୱର ବଛା ବଛା ୮ଟି ଦଳ ଏଥିରେ ହୋଇଛନ୍ତି ସାମିଲ୍ । ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଠାରୁ ବିଶ୍ୱମାନ୍ୟତାର ପ୍ରଥମରେ ଥିବା ଆର୍ଜେଣ୍ଟିନା ଆଦି ଦେଶ ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି ।