ଆକାଶରେ ଦୃଶ୍ୟମାନ ହେଲା ମହାଜାଗତିକ ଦୃଶ୍ୟ। ଦେଖାଗଲା ଆଂଶିକ ସୂର୍ଯ୍ୟପରାଗ

151

କନକ ବ୍ୟୁରୋ: ବର୍ଷର ଶେଷ ସୂର୍ଯ୍ୟପରାଗ ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି । ସୂର୍ଯ୍ୟପରାଗ ଆର୍ୟାଲାଣ୍ଡରେ ପ୍ରଥମେ ଦୃଶ୍ୟମାନ ହୋଇଥିବାବେଳେ ଆରବ ସାଗରରେ ଶେଷ ହୋଇଛି । ଭାରତୀୟ ସମୟ ଅନୁସାରେ ଦିନ ୨ଟା ୨୯ମିନିଟରୁ ୬ଟା ୨୦ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲା ସୂର୍ଯ୍ୟପରାଗ । ଭାରତରେ ୪ଟା ୨୯ରୁ ୬ଟା ୯ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲା ସୂର୍ଯ୍ୟପରାଗ । ଅର୍ଥାତ ଭାରତରେ ପ୍ରାୟ ୧ ଘଣ୍ଟା ୪୦ମିନିଟ୍ ପର୍ଯ୍ୟନ୍ତ ଦେଖାଯାଇଛି ସୂର୍ଯ୍ୟପରାଗ ।

ଦେଶର ଅନ୍ୟସ୍ଥାନମାନଙ୍କ ଭଳି ଓଡିଶାରେ ଦେଖାଯାଇଛି ଆଂଶିକ ସୂର୍ଯ୍ୟପରାଗର ଦୃଶ୍ୟ ।  ୪.୫୦ରେ ପ୍ରଥମେ ଦେବଗଡରେ ଦେଖିବାକୁ ମିଳିଥିଲା ମହାଜାଗତିକ ଦୃଶ୍ୟ । ଭୁବନେଶ୍ୱରରେ ସମୟ ପ୍ରାୟ ୪ଟା ୫୫ଦେଖିବାକୁ ମିଳିଥିଲା ଏହି ମହାଜାଗତିକ ଦୃଶ୍ୟ । ଆଉ ୨୦ ମିନିଟ୍ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ମାଲକାନାଗିରି ୪.୫୯ରୁ ୫.୩୩ ପ୍ରାୟ ୩୪ମିନିଟ୍ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ । ସେହିପରି ସମ୍ବଲପୁରରେ ୪.୫୨ରୁ ୫.୨୦ ପର୍ଯ୍ୟନ୍ତ ୨୮ମିନିଟ୍ ଦେଖାଯାଇଛି ଏହି ମହାଜାଗତିକ ଦୃଶ୍ୟ । ନୂଆପଡାରେ ସର୍ବାଧିକ ୪.୫୨ରୁ ୫.୨୮ ପ୍ରାୟ ୩୬ମିନିଟ୍ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ । କେନ୍ଦ୍ରାପଡାରେ ସବୁଠାରୁ କମ୍ ସମୟ ୧୭ ମିନିଟ୍ ପାଇଁ ସୂର୍ଯ୍ୟପରାଗ ଦେଖାଯାଇଛି ।

ମୁମ୍ବାଇ, ଦିଲ୍ଲୀ, ଅମ୍ରିତସର, ହରିଦ୍ୱାର, ରିଷିକେଷ, ଜମ୍ମୁ ସମେତ ଦେଶର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗର ଚିତ୍ର । ଭାରତରେ ପ୍ରଥମେ ଅମୃତଶରରେ ଦେଖିବାକୁ ମିଳିଥିଲା ପରାଗ ସମୟର ଦୃଶ୍ୟ । ୪.୧୬ରେ ପରାଗ ଅମୃତସରରେ ଦୃଶ୍ୟମାନ ହୋଇଥିଲା ସୂର୍ଯ୍ୟପରାଗ । ହରିଦ୍ୱାରରେ ସୂର୍ଯ୍ୟପରାଗର ଦୃଶ୍ୟକୁ ଟେଲିସ୍କୋପ ସହାୟତାରେ ଦେଖିଥିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ସୂର୍ଯ୍ୟପରାଗ ଲାଗିବା ପରେ ସୂର୍ଯ୍ୟର ରଙ୍ଗ ବଦଳିବାରେ ଲାଗିଥିଲା । କେତେବେଳେ ନାରଙ୍ଗୀ, ତ ଆଉ କେତେବେଳେ ଲାଲ ପୁଣି କେତେବେଳେ ସମ୍ପୂର୍ଣ୍ଣ ଗୋଲାପି ଦେଖାଯାଉଥିଲା ସୂର୍ଯ୍ୟ । ଆକାଶର ରଙ୍ଗ ବି ବଦଳି ଯାଇଥିଲା । ଲାଲ ହୋଇଯାଇଥିଲା ପୂରା ଆକାଶ । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଅତିକ୍ରମ କରିଥାଏ । ସେହି ସମୟରେ କିଛି ସମୟ ପାଇଁ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ଏକ ସରଳରେଖାରେ ରହିଥାନ୍ତି । ପୃଥିବୀର ଗୋଟିଏ ପାଶ୍ୱର୍ରେ ଚନ୍ଦ୍ରର ଛାଇ ପଡିଥାଏ । ଏହାକୁ ସୂର୍ଯ୍ୟପରାଗ କୁହାଯାଏ । ଏହାକୁ ରାହୁର ପ୍ରଭାବ ବୋଲି କହିଥାନ୍ତି ଜ୍ୟୋତିଷ ।

ସୂର୍ଯ୍ୟପରାଗ ସମୟରେ ଗୋଟିଏ ପ୍ରମୁଖ ଗ୍ରହ ବୁଧ, ଗୁରୁ, ଶୁକ୍ର, ଶନି ନିଜ ନିଜ ଘରରେ ରହୁଥିବାରୁ ସାଧାରଣ ଲୋକଙ୍କ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥିଲେ । ଯାହା ସୂର୍ଯ୍ୟପରାଗ ସମୟରେ ଦେଖିବାକୁ ମିଳିଥିଲା । ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା । କେହି ଘରୁ ବାହାରକୁ ବାହାରି ନଥିଲେ । ଯାହା ୧୪୪ର ଭ୍ରମ ସୃଷ୍ଟି କରିଥିଲା ।