ସୂର୍ଯ୍ୟପରାଗ ନୀତିକୁ ନେଇ ଜ୍ୟୋତିଷ ବନାମ ହେତୁବାଦୀ। ପରାଗ ପାଇଁ ପାକ ତ୍ୟାଗ ନୀତିକୁ ମାନିଲେନି ହେତୁବାଦୀ।

1,661

କନକ ବ୍ୟୁରୋ: ପରାଗରେ ହାଣ୍ଡିଛାଡ଼, ମାନିଲେନି ହେତୁବାଦୀ । ରାନ୍ଧିଲେ ଓ ଖାଇଲେ ‘ଚିକେନ ବିରିଆନୀ । ବର୍ଷ ବର୍ଷ ଧରି ଚଳି ଆସୁଥିବା ପରମ୍ପରାକୁ ଭାଙ୍ଗି ହେତୁବାଦୀମାନେ ପରାଗରେ ରନ୍ଧା ଖାଦ୍ୟ ଖାଉଛନ୍ତି । ଭୁବନେଶ୍ୱର ପ୍ରେସ ଛକରେ ହେତୁବାଦୀମାନେ ନିଆରା ହୋଟେଲରେ ସାଦା ଓ ଚିକେନ ବିରିଆନି ରାନ୍ଧିବା ସହ ନିଜେ ଖାଇଛନ୍ତି ଓ ଅନ୍ୟମାନଙ୍କୁ ଖାଇବାକୁ ଦେଇଛନ୍ତି । ହେତୁବାଦୀ ଅର୍ଥାତ ରୁଢିବାଦକୁ ବିରୋଧ କରୁଥିବା ଲୋକ । ବିଧି ମୁତାବକ ଆଂଶିକ ସୂର୍ଯ୍ୟପରାଗ ପାଇଁ ଭୋର ୪ଟା ୫୭ ମିନିଟରୁ ହାଣ୍ଡିଛାଡ ଆହ୍ୱାନ ଦେଇଥିଲେ ଜ୍ୟୋତିର୍ବିଦ୍ । ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ପାକ ନିଷେଧ ହେବାକଥା । ଖାଦ୍ୟ ରାନ୍ଧିବା କିମ୍ବା ରନ୍ଧାଖାଦ୍ୟ ଖାଇବାକୁ ଏହି ସମୟରେ ବାରଣ କରାଯାଇଥାଏ । ହେଲେ ଏହା ବିଜ୍ଞାନ ସମ୍ମତ ଯୁକ୍ତି ନୁହେଁ ବୋଲି କହି ପରମ୍ପରା ନାଁରେ ଏଭଳି କରାଯିବା ଠିକ ନୁହେଁ ବୋଲି କହିଛନ୍ତି ହେତୁବାଦୀ ।

ବ୍ରହ୍ମପୁରରେ ବି ହେତୁବାଦୀ ହାଣ୍ଡିଛାଡ ନିୟମକୁ ମାନିନାହାନ୍ତି । ସୂର୍ଯ୍ୟପରାଗରେ ହେତୁବାତୀ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ସାମୂହିକ ଭୋଜନ । ଏହାଛଡା ସଚେତନତା କାର୍ଯ୍ୟକ୍ରମ ବି କରାଯାଇଥିଲା । ସୂର୍ଯ୍ୟପରାଗରେ ଖାଇବାକୁ ବାରଣ କରାଯାଇଛି । ନୀତିନିୟମ ବି ମାନିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋର୍ତିବିଦ । କିନ୍ତୁ ହେତୁବାଦୀଙ୍କ କହିବା କଥା ହେଲା, ଏଭଳି ମହାଜଗତିକ ଦୃଶ୍ୟକୁ ନେଇ ସମାଜରେ ଭ୍ରାନ୍ତ ଧାରଣା ରହିଛି । ବିଜ୍ଞାନର ବିକାଶରେ ମଣିଷ ଏସବୁ ଘଟଣାର ବୈଜ୍ଞାନିକ ବାଖ୍ୟା କରିବାକୁ ସମର୍ଥ ହୋଇପାରିଛି । କିନ୍ତୁ ଏବେ ବି ଲୋକେ ଭ୍ରାନ୍ତ ଧାରଣାର ଶିକାର ହୋଇଛନ୍ତି ବୋଲି ହେତୁବାଦୀ କହିଛନ୍ତି । ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ମଧ୍ୟ ଜ୍ୟୋତିର୍ବିଦଙ୍କ ମତ ଠିକ ନୁହେଁ ବୋଲି କହିଛନ୍ତି ।

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଜ୍ୟୋତିଷ ଓ ହେତୁବାଦୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ତର୍କବିତର୍କ ଲାଗି ରହିଛି । ଜ୍ୟୋତିର୍ବିଦ ଏହାକୁ ପରମ୍ପରା ଦୃଷ୍ଟିରୁ ଦେଖୁଥିବାବେଳେ ହେତୁବାଦୀ ଏହାକୁ ମାନିବାକୁ ନାରାଜ । ହେଲେ ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀ ଦେବନୀତିକୁ ବର୍ଜନ କରିବା ସହ ପାକ ନିଷେଧ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ପରାଗରେ ପାକ ନିଷେଧକୁ ଦୃଷ୍ଟିରେ ରଖି ସରକାର ଆଜିର ଦିନକୁ ଛୁଟି ଘୋଷଣା କରିଛନ୍ତି ।