ବିପଦଜନକ ରିଲ୍ସ ନକରିବାକୁ ସତର୍କ କଲା ଓଡିଶା ପୋଲିସ: ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଣ୍ଟ ନକରିବାକୁ ଦେଲା ପରାମର୍ଶ

292

କନକ ବ୍ୟୁରୋ: ଦିନକୁ ଦିନ ଲୋକଙ୍କ ଭିତରେ ବଢ଼ୁଛି ରିଲ୍ସ ଭିଡିଓ କରିବାର ନିଶା । ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ଏହା ଏକ ପ୍ରକାର ନିଶାରେ ପରିଣତ ହୋଇଛି । ତେବେ ବିଭିନ୍ନ ସ୍ଥାନରୁ ବିପଜ୍ଜନକ ଭାବେ ରିଲ୍ସ କରାଯାଉଥିବା ସାମନାକୁ ଆସିବା ପରେ ସତର୍କ କରିଛି ଓଡିଶା ପୋଲିସ । ଶସ୍ତା ଲୋକପ୍ରିୟତା ପାଇଁ ଷ୍ଟଂଟ ନକରିବାକୁ ପରାମର୍ଶ ଦେଇଛି ।
ସୋସିଆଲ ମିଡିଆରେ ପ୍ରସିଦ୍ଧି ପାଇଁ ଏମିତି ଦୁଃସାହାସିକ ରିଲ୍ସ ତିଆରି କରିବା ନିଶା ଏବେ ଅନେକଙ୍କୁ ଘାରିଛି । ରିଲ୍ସ କରିବାବେଳେ ଜୀବନ ଯିବାର ଆଶଙ୍କା ଥାଇ ଜାଣି ବି ଅନେକଙ୍କୁ ଏହି ନିଶା ଏବେ ବାଇଆ କରିଛି । ଯାହାକୁ ନେଇ ସତର୍କ କରିଛି ଓଡି଼ଶା ପୋଲିସ ।

ଋିଲ୍ସ କରିବା ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସାମନାକୁ ଆସିବା ପରେ, ସତର୍କ କରିଛି ଓଡିଶା ପୋଲିସ । ଏନେଇ ପୋଲିସ ପକ୍ଷରୁ ଟୁଇଟ୍ କରି ସତର୍କ କରାଯାଇଛି । ଟୁଇଟ୍ରେ ସତର୍କ କରି ଲେଖାଯାଇଛି,

ସୋସିଆଲ ମିଡିଆରେ ପ୍ରସିଦ୍ଧି ହେବା ଆଶାରେ କିଛି ଯୁବଗୋଷ୍ଠୀ ବିପଦସଂକୁଳ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି । ଏହାଦ୍ୱାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି । ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡି, ଏଭଳି ବିପଜ୍ଜନକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

ବିପଦଜନକ ଅବସ୍ଥାରେ ରିଲ୍ସ ସୁଟିଂ କରିବା ବା ଫଟୋ ଉଠାଇବାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ମଧ୍ୟ ସତର୍କ କରିଛନ୍ତି । ଯେଉଁମାନେ ଏଭଳି ଭିଡିଓ ବା ଫଟୋ ଉଠାଉଛନ୍ତି ସେମାନେ ପ୍ରଥମେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ।

ଭଲ ବିଷୟବସ୍ତୁ ଆଧାରରେ ରିଲ୍ସ କଲେ ମଧ୍ୟ ଲୋକପ୍ରିୟତା ମିଳିପାରିବ । ଏହା ସହିତ ଅର୍ଥ ରୋଜଗାର କରିବାର ମଧ୍ୟ ସୁଯୋଗ ରହିଛି । କିନ୍ତୁ ଶୀଘ୍ର ଲୋକପ୍ରିୟତା ପାଇବା ଆଶାରେ ଦୁଃସାହିକ ଭାବେ ରିଲ୍ସ କରିବା ବିପଦର କାରଣ ହୋଇପାରେ ।