ନବୀନଙ୍କ ଆଞ୍ଚଳକି ଫର୍ମୁଲା ! ସଂଘୀୟ ଗଣତନ୍ତ୍ର ପାଇଁ ଏକାଠି ହେବାକୁ ଆହ୍ୱାନ, ମୋଦି ବିରୋଧୀ ମେଣ୍ଟର ପଡିଲା କି ମୂଳଦୁଆ

65

କନକ ବ୍ୟୁରୋ : ଆଞ୍ଚଳିକ ଦଳକୁ ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ବିଜୁ ଜନତା ଦଳର ୨୦ ବର୍ଷ ପ୍ରତିଷ୍ଠା ଦିବସ ପୂର୍ବରୁ ପିଟିଆଇକୁ ସାକ୍ଷାତକାର ଦେଇ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଘୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଆଞ୍ଚଳିକ ଦଳ ମାନେ ଏକଜୁଟ ହେବା ଆବଶ୍ୟକ ବୋଲି କହିଛନ୍ତି ନବୀନ । ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସମନ୍ୱୟ ରହିବା ଦରକାର । ଆଞ୍ଚଳିକ ଦଳମାନଙ୍କ ଭିତରେ ସମନ୍ୱୟ ରହିଲେ ସଂଘୀୟ ବ୍ୟବସ୍ଥା ଦୃଢ଼ ହେବ ।

bjp vs bjdତେବେ ବିଜେଡି ଆଞ୍ଚଳିକ ଦଳମାନଙ୍କର ନେତୃତ୍ୱ ନେବ କି ? ଏହି ପ୍ରଶ୍ନର ଉତର ଦେଇ ନବୀନ କହିଛନ୍ତି ଆଞ୍ଚଳିକ ଦଳ ଭାବେ ପ୍ରଥମେ ଆମ ରାଜ୍ୟ ପ୍ରତି ଆମର ଗୁରୁତ୍ୱ ରହିବ । ତେବେ ନବୀନଙ୍କ ଏହି ବୟାନ ଏବେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିଛି । କାରଣ ପୂର୍ବରୁ ମଧ୍ୟ ଆଞ୍ଚଳିକ ଦଳଙ୍କୁ ଏକଜୁଟ କରିବା ପାଇଁ ଅନେକ ଥର ପ୍ରୟାସ କରାଯାଇଛି । କିନ୍ତୁ ସେହି ସମୟରେ ବିଜେଡି ନିଜକୁ ସର୍ବଦା ଦୂରରେ ରଖିଛି । ତେବେ ଏବେ ପ୍ରଶ୍ନ ଉଠୁଛି କଣ ପାଇଁ ନବୀନ ଆଞ୍ଚଳିକ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେଉଛନ୍ତି । ଏହା ପଛରେ କଣ ରହିଛି ନବୀନଙ୍କ ଉଦ୍ଦେଶ୍ୟ? ମୋଦିଙ୍କୁ ମାତ ଦେବାକୁ ନବୀନ ନୂଆ ରଣନୀତି ସ୍ୱରୂପ ଆଞ୍ଚଳିକ ଦଳକୁ ଏକାଠି ହେବାକୁ କହୁ ନାହାନ୍ତି ତ ? ତେବେ ନବୀନଙ୍କ ଏହି ବୟାନ ପରେ ଏକ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି ହୋଇଛି ।

amit sahaନବୀନଙ୍କ ବୟାନ ସିଧାସଳଖ ତୃତୀୟ ସାମ୍ମୁଖ୍ୟ ଆଡକୁ ଇଙ୍ଗିତ କରୁଛି । କାରଣ କେନ୍ଦ୍ର ବିରୋଧରେ ଲଢିବା ପାଇଁ ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତା ରହିଛି ଏକଥା ଅଧିକାଂଶ ଆଞ୍ଚଳିକ ଦଳ ହୃଦୟଙ୍ଗମ କରି ସାରିଲେଣି । କାରଣ ମୋଦି ଲହରକୁ ଅଟାକାଇବାକୁ ହେଲେ ସମସ୍ତ ଆଞ୍ଚଳିକ ଦଳକୁ ଏକାଠି ହେବାକୁ ପଡିବ ଏକଥା ଅଧିକାଂଶ ରାଜନେତା ସ୍ୱୀକାର ମଧ୍ୟ କରିଛନ୍ତି । ଯେଉଁଭଳି ଭାବେ ଲଗାତାର ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡାଇ ଚାଲିଛି ତାହା ଦେଖିବା ପରେ ଅଧିକାଂଶ ଆଞ୍ଚଳିକ ଦଳର ମୁଖିଆଙ୍କ ମନରେ ଛନକା ପଶିଛି ।

ତେଣୁ ବିଜେପିର ଏହି ବିଜୟ ରଥ ଅଟକାଇବାକୁ ହେଲେ ଆଞ୍ଚଳିକ ଦଳକୁ ଏକାଠି ହେବାର ଆବଶ୍ୟକତା ରହିଛି ଏକଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କହି ସାରିଛନ୍ତି । ଏପରିକି ଏଥିପାଇଁ ସବୁ ଆଞ୍ଚଳିକ ଦଳ ସହ ସେ କଥା ହେବେ ବୋଲି ମଧ୍ୟ କହିଛନ୍ତି । ତେବେ ତୃତୀୟ ସାମ୍ମୁଖ୍ୟ କିମ୍ବା ମେଣ୍ଟ ଗଠନ କିଛି ନୂଆ କଥା ନୁହେଁ । କାରଣ ପୂର୍ବରୁ ମଧ୍ୟ ଅନେକଥର ତୃତୀୟ ସାମ୍ମୁଖ୍ୟ ପାଇଁ ଆଞ୍ଚଳିକ ଦଳ ଏକାଠି ହୋଇଛନ୍ତି । କିନ୍ତୁ ସେତେବେଳେ ଏହି ତୃତୀୟ ସାମ୍ମୁଖ୍ୟରୁ ନିଜକୁ ସର୍ବଦା ଦୂରେଇ ରଖିଛି ବିଜୁ ଜନତା ଦଳ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ତୃତୀୟ ସାମ୍ମୁଖ୍ୟ ଓ ମହାମେଣ୍ଟରୁ ମଧ୍ୟ ଦୂରେଇ ରଖିଥିବାର ନଜିର ରହିଛି । କିନ୍ତୁ ଏବେ ସମୟ ବଦଳିଛି । ନବୀନଙ୍କ ମୁଡରେ ଆସିଛି ପରିବର୍ତ୍ତନ । ପୂର୍ବପେକ୍ଷା କେନ୍ଦ୍ର ସରକାରଙ୍କ ପ୍ରତି ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ନବୀନ ।ଏସବୁ ଭିତରେ ନବୀନଙ୍କ ଏଭଳି ବୟାନ ତୃତୀୟ ସାମ୍ମୁଖ୍ୟର ପରିକଳ୍ପନାକୁ ଆହୁରି କ୍ରୀୟାଶୀଳ କରିଛି । ଆଉ ଚର୍ଚ୍ଚା ହେଉଛି ବିଜେପି ବିରୋଧରେ ଜନ୍ମ ନେବ କି ତୃତୀୟ ସାମ୍ମୁଖ୍ୟ ।

ଏହାଛଡା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ନବୀନ । ମହାନଦୀ ଜଳ ବିବାଦ ମାମଲାରେ ସଂସଦରେ ଓଡିଶାର ଦାବିକୁ ଟିଏମସି ମର୍ଥନ କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ପୋଲାଭରମ ପ୍ରସଙ୍ଗରେ ଟିଆରଏସ୍ ସମର୍ଥନ କରିଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।