ମନ୍ଦିରରେ ନୂଆବର୍ଷ ପାଳନ ପାଇଁ ମିଳିବନି ଅନୁମତି । ନୂଆବର୍ଷ ଶୁଭେଚ୍ଛାକୁ ବାରଣ । ଆନ୍ଧ୍ର ସରକାରଙ୍କ ଅଜବ ନିୟମ

36

କନକ ବ୍ୟୁରୋ : ଆପଣ ନୂଆବର୍ଷ ମନ୍ଦିରରେ ପାଳନ କରିବାକୁ ଚାହୁଁଛନ୍ତି କି । ତେବେ ସତର୍କ ହୋଇଯାଆନ୍ତୁ, ଆପଣଙ୍କୁ ମନ୍ଦିରରେ ନୂଆବର୍ଷ ପାଳିବା ପାଇଁ ଅନୁମତି ମିଳିବ ନାହିଁ । ଏଭଳି ଏକ ନୂଆ ନିୟମ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଆନ୍ଧ୍ରପ୍ରଦେଶର କୌଣସି ମନ୍ଦିରରେ ନୂଆବର୍ଷ ପାଳନ ହେବନି। ଏହା ହିନ୍ଦୁ ସଂସ୍କୃତିର ଏକ ଅଂଶବିଶେଷ ହୋଇନଥିବାରୁ ରାଜ୍ୟର କୌଣସି ବି ମନ୍ଦିରରେ ନୂଆବର୍ଷ ଉତ୍ସବ ପାଳନ ହେବନି ବୋଲି ଆନ୍ଧ୍ରପ୍ରଦେଶ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଆନ୍ଧ୍ରପ୍ରଦେଶ ଦେବୋତ୍ତର ବିଭାଗର ଏକ ଅଂଶବିଶେଷ ଭାବେ ହିନ୍ଦୁ ଧର୍ମ ପରିରକ୍ଷଣ ଟ୍ରଷ୍ଟ (ଏଚଡିପିଟି) କହିଛନ୍ତି ଯେ ମନ୍ଦିରଗୁଡ଼ିକରେ ନବବର୍ଷ ଉତ୍ସବ ପାଳନ ହେବା ଉଚିତ ନୁହେଁ । ସେହିପରି ଭକ୍ତମାନଙ୍କୁ ମଧ୍ୟ ନବବର୍ଷ ସନ୍ଧ୍ୟାରେ ବଧେଇ ଜଣାଇବାରୁ ବିରତ ରହିବା ପାଇଁ କୁହାଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ଉଗାଡ଼ିକୁ ସାରା ବିଶ୍ୱରେ ତେଲେଙ୍ଗାମାନେ ନବବର୍ଷ ଭାବେ ପାଳନ କରୁଛନ୍ତି।

ତେଣୁ ଏହି ଦିନରେ ହିଁ ଲୋକେ ପୂଜାର୍ଚ୍ଚନା କରିବା ଦରକାର ଏବଂ ମନ୍ଦିର ଗୁଡ଼ିକରେ ମଧ୍ୟ ଉତ୍ସବ ପାଳନ ହେବା ଦରକାର। ଏହାବାଦ ନବବର୍ଷ ପାଇଁ ଫୁଲ ଓ ସାଜସଜାରେ ଯେଉଁ ପାଣ୍ଠି ବିନିଯୋଗ ହେଉଛି ତାହା ହିନ୍ଦୁ ସଂସ୍କୃତି ବିରୋଧୀ। ଦେବୋତ୍ତର କମିସନର ଓ୍ଵାଇ.ଭି. ଅନୁରାଧା ଏହି ବିଜ୍ଞପ୍ତି କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।