କଣ କହିବେ ମୋଦି ?

56

ବାଲେଶ୍ୱର : ବାଲେଶ୍ୱରରେ ହେବ ବିକାଶ ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବେ ସମ୍ଭାଷଣ । ଦୁଇ ବର୍ଷ ଭିତରେ ସରକାର କରିଛନ୍ତି କଣ । କାହାକୁ ଦେଇଛନ୍ତି ଗୁରୁତ୍ୱ । କଣ ରହିଛି ଦୁଇବର୍ଷର ସରକାରର ସବୁଠାରୁ ବଡ ଉପଲବ୍ଧି । ଓଡିଶାବାସୀଙ୍କ ଆଗରେ ଏହାର ଏକ ଲମ୍ବା ତାଲିକା ରଖିବେ ମୋଦି । ତେବେ ଏହା ବାଦ୍ ଏହି ଗସ୍ତର ଚାରିପାଖରେ ଯେଉଁ ରାଜନୈତିକ ଚର୍ଚ୍ଚା ଚକାଭଉଁରୀ ଖେଳୁଛି , ତାକୁ ନେଇ କଣ ରହିବ ମିଷ୍ଟର ପିଏମଙ୍କ ଆଭିମୁଖ୍ୟ ।

ଆସାମ ପରେ ଓଡିଶା । ରାଜ୍ୟ କର୍ମକର୍ତାଙ୍କ ମନରେ ଯେଉଁ ଆଶା ବସା ବାନ୍ଧିଛି, ତା ଉପରେ ମୋଦି ପକାଇବେ କି ମୂଳଦୂଆ । ନବୀନ ବିରୋଧୀ ବକ୍ତବ୍ୟ ରଖି ରାଜ୍ୟ ବିଜେପି କ୍ୟାମ୍ପକୁ କରିବେ କି ମୋଦି ସନ୍ତୁଷ୍ଟ । ଓଡିଶାବାସୀଙ୍କ ଅପେକ୍ଷା ଏ ପ୍ରଶ୍ନର ଉତରକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟ ନେତୃବୃନ୍ଦ । କାରଣ ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦିଙ୍କ ଚତୁର୍ଥ ଓଡିଶା ଗସ୍ତ । ହେଲେ କୌଣସି ଥର ନବୀନଙ୍କ ବିରୋଧରେ କହିନାହାନ୍ତି ଗୋଟିଏ ବି ଧାଡି ।

ଭାଗମାପରେ ମାପିଚୁପି କଥା କହିବାରେ ଖୁବ୍ ମାହିର ମୋଦି । ରାଜ୍ୟ ଓ କେନ୍ଦ୍ର ଭିତରେ ଥିବା ଅଲିଖିତ ବୁଝାମଣାକୁ ଖୁବ୍ ବୁଝନ୍ତି ମୋଦି । ତେଣୁ କେତେବେଳେ ନବୀନଙ୍କୁ ବନ୍ଧୁ କୁହନ୍ତି ତ ପୁଣି କେବେ ବିଜୁ ବାବୁଙ୍କ ସ୍ମୃତିଚାରଣ କରନ୍ତି ।

ତେଣୁ ଏବେ ସମସ୍ତଙ୍କ ଅପେକ୍ଷା ବାଲେଶ୍ୱରର ବିକାଶ ଉତ୍ସବକୁ । କାରଣ ମିଶନ ୨୦୧୯ ନେଇ ଏହି କାର୍ଯ୍ୟକ୍ରମରେ କିଛି ସଂକେତ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।