ଦେଶରେ ହେଉଥିବା ୩୦୦ ପ୍ରକାର ଦୁର୍ଲଭ ରୋଗ ପାଇଁ ଯୋଜନା ! ୨୦୦ କୋଟି ଖର୍ଚ୍ଚ କରିବେ ସରକାର

29

କନକ ବ୍ୟୁରୋ : ଦେଶରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଦେବା ସହ ସରକାର ଆଉ ଏକ ଜନହିତକର ଯୋଜନା ଉପସ୍ଥାପନ କରୁଛନ୍ତି । ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ମିଶି ଦେଶରେ ବିରଳ ରୋଗ ବିରୋଧରେ ଅଭିଯାନ ଆରମ୍ଭ ହେବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପାଖାପାଖି ୩୦୦ ପ୍ରକାର ଦୁର୍ଲଭ ରୋଗକୁ ନେଇ ଜାତୀୟ ପଲିସି ତିଆରି କରିବା ପାଇଁ ଯୋଜନା କରୁଛିି । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ପଲିସି ଲାଗୁ ହେବ ବୋଲି ଆଶା କରାଯାଉଛି । ଯେଉଁଠି ଡାକ୍ତରଙ୍କୁ ମଧ୍ୟ ଦୁର୍ଲଭ ରୋଗ ବିଷୟରେ ପ୍ରଶିକ୍ଷଣ ଦିଆଯିବ ।

ଆୟୁଷ୍ମାନ୍ ଭାରତ ଯୋଜନା ଅନୁସାରେ ଦେଢ଼ ଲକ୍ଷ ହେଲଥ ଓ ୱେଲନେସ୍ ସେଣ୍ଟର ଖୋଲିବ । ମନ୍ତ୍ରାଳୟ ଖୁବ ଶୀଘ୍ର ଏହାକୁ କ୍ୟାବିନେଟ୍ ପର୍ଯ୍ୟନ୍ତ ପହଞ୍ଚାଇବ । ସୂଚନା ଅନୁସାରେ ସାରା ଦୁନିଆରେ ପାଖାପାଖି ୭ ହଜାର ଦୁର୍ଲଭ ରୋଗ ରହିଛି । ଆମ ଦେଶ ଭାରତରେ ଏହିପରି ୩୦୦ ପ୍ରକାର ଦୁର୍ଲଭ ରୋଗରେ ପଡ଼ନ୍ତି ଲୋକେ । ଆଉ ଏହାର ଚିକିତ୍ସା ଖର୍ଚ୍ଚ ମଧ୍ୟ ଖୁବ୍ ଅଧିକ । ୮ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୁଏ ଏପରି ରୋଗରେ । ଏବେ ସରକାରୀ ମେଡ଼ିକାଲରେ ସୁବିଧା ନଥିବା ଯୋଗୁଁ ରୋଗୀଙ୍କୁ ବେସରକାରୀ ମେଡ଼ିକାଲ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଛି । ଆଉ ବେସରକାରୀ ମେଡ଼ିକାଲରେ ରୋଗୀ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଅନେକ ଏପରି ଦୁର୍ଲଭ ରୋଗ ଅଛି ଯାହା ସହଜରେ ଚିହ୍ନ ହୁଏ ନାହିଁ । ଯଦ୍ୱାରା ରୋଗୀ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୁଅନ୍ତି ଓ ଶେଷର ମୃତ୍ୟୁ ମୁଖରେ ପଡ଼ନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଭାରତରେ ୩୦୦ ପ୍ରକାର ଦୁର୍ଲଭ ରୋଗ ଦେଖାଯାଏ । ଆଉ ଏହି ରୋଗରେ ପୀଡ଼ିକଙ୍କ ସଂଖ୍ୟା ପାଖାପାଖି ୨ରୁ ୩ ଲକ୍ଷ । ତେବେ ରୋଗୀଙ୍କୁ ଏଦିଗରେ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରିବେ । ଚଳିତ ବର୍ଷ ହିଁ ଲାଗୁ ହୋଇଯିବ ଯୋଜନା  ଆଶା କରାଯାଉଛି । ଏହି ପଲିସ ପାଇଁ ସରକାର ପାଖାପାଖି ୨୦୦ କୋଟି ଟଙ୍କର ଖର୍ଚ୍ଚ କରିବେ ।