ଜେଲ ଭିତରୁ ପ୍ରଧାନମନ୍ତ୍ରୀଙ୍କୁ ମନୀଷଙ୍କ ଟାର୍ଗେଟ : କହିଲେ ବିକାଶ ପାଇଁ ଜରୁରୀ ଶିକ୍ଷିତ ପ୍ରଧାନମନ୍ତ୍ରୀ

110

କନକ ବ୍ୟୁରୋ : ଜେଲ ଭିତରୁ ଦେଶ ଉଦ୍ଦେଶ୍ୟରେ ଚିଠି ଲେଖିଲେ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତେରଛା ବାଣ ମାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚିଠି ଲେଖି ସିସୋଦିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଚିଠିରେ ମନୀଷ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଜଣେ ଉଚ୍ଚ ଶିକ୍ଷିତ ହେବା ଆବଶ୍ୟକ ।

ଦେଶର ଉନ୍ନତି ପାଇଁ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି । ମୋଦୀ ଶିକ୍ଷାକୁ ବୁଛନ୍ତି ନାହିଁ, ବିଜ୍ଞାନ ବୁଝନ୍ତି ନାହିଁ ଓ ଶିକ୍ଷାକୁ ମହତ୍ୱକୁ ଜାଣନ୍ତି ନାହିଁ । ଅଳ୍ପ ଶିକ୍ଷାଗତ ଯୋଗ୍ୟତାର ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦଜନକ ଅଟେ । ସିସୋଦିଆଙ୍କ ଚିଠିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ମନୀଷ ପ୍ରଶ୍ନ ଉଠାଇବାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ସୂଚନାଯୋଗ୍ୟ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିକଟରେ ପ୍ରଧାନମନ୍ତ୍ରୀଙ୍କ ପିଜି ସାର୍ଟିଫିକେଟ ହାସଲ କରିବା ପାଇଁ ‘ମନ୍ଦ ଉଦ୍ଦେଶ୍ୟ’ ରଖି ଆବେଦନ କରିଥିଲେ ଏବଂ ଏଥିପାଇଁ ଗୁଜରାଟ ହାଇକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିବା ସହ ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ବାବଦ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ ଥିବା ସତ୍ତ୍ବେ ଆପ୍‌ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଏକ ପ୍ରସଙ୍ଗ କରିବା ପାଇଁ ପ୍ରୟାସ କରିବା ଚର୍ଚ୍ଚାର ବିଷୟ ପାଲଟିଛି ।