ଆଇପିଏଲ ମହାସମର : ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଲା ରାହୁଲଙ୍କ ଟିମ୍

287

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇଛି ଲକ୍ଷ୍ନୌ   ସୁପର ଜାଏଣ୍ଟସ । ଏହି ବିଜୟ ସହ କେଏଲ୍ ରାହୁଲଙ୍କ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୨୧ ରନ୍ କରିଥିଲା । ଜବାବରେ ଘରୋଇ ଦଳ ୪ ଓଭର ବାକି ଥାଇ ୫ ୱିକେଟରେ ମୁକାବିଲାକୁ ଜିତି ନେଇଥିଲା । କୃନାଲ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଲକ୍ଷ୍ନୌ ବିଜୟକୁ ସହଜ କରିଦେଇଥିଲା ।

କୃନାଲ ୩ ୱିକେଟ୍ ନେବା ସହ ବ୍ୟାଟିଂରେ ୩୪ ରନର ଯୋଗଦାନ ଦେଇଥିଲା । ଏଥିପାଇଁ ତାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ସନରାଇଜର୍ସ ଟିମ୍ ପୁଣିଥରେ ବ୍ୟାଟିଂରେ ଫେଲ୍ ମାରିଛି । ଦଳ ପକ୍ଷରୁ ଅନମୋଲପ୍ରୀତ ସିଂ ୩୧ ରନ୍ ଓ ରାହୁଲ ତ୍ରିପାଠୀ ୩୪ ରନ୍ କରିଥିଲେ । ବୋଲିଂରେ ଲକ୍ଷ୍ନୌ ପକ୍ଷରୁ ଭେଟେରାନ୍ ସ୍ପିନର ଅମିତ୍ ମିଶ୍ର ୨ଟି ଓ ରବି ବିଷ୍ଣୋଇ ଗୋଟିଏ ସଫଳତା ପାଇଥିଲେ ।

ଲକ୍ଷ୍ନୌ ଅଧିନାୟକ ରାହୁଲ ୩୫ ରନ୍ କରିଥିଲେ । କ୍ରମାଗତ ଦ୍ୱିତୀୟ ପରାଜୟ ସହ ହାଇଦ୍ରାବାସ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଆଜି ଆଇପିଏଲରେ ଡବଲ୍ ହେଡର ରହିଛି । ଗୌହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ସେହିପରି ୱାଙ୍ଖଡେରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ ।