ସରିଲା ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ୪ ଅଭିଯୁକ୍ତଙ୍କ ରିମାଣ୍ଡ : ମାଷ୍ଟରମାଇଣ୍ଡ ମନୋଜଙ୍କ ଦେଢ଼ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ

127

କନକ ବ୍ୟୁରୋ : ବଲାଙ୍ଗୀର ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ତେବେ ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ମନୋଜଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ହାତରେ ଲାଗିଛି । ମନୋଜଙ୍କର ପ୍ରାୟ ଦେଢ଼ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ।

ଏହାସହ କିଛି ନକଲି ସାର୍ଟିଫିକେଟ୍ ବିକ୍ରି କରି ମନୋଜ ଯେଉଁ ଜମି ସବୁ ଜବତ କରିଥିଲା, ତାକୁ ମଧ୍ୟ ଜବତ କରିଛି ତଦନ୍ତକାରୀ ସଂସ୍ଥା । ଏହା ସହ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ମନୋଜ ମିଶ୍ରଙ୍କର ୫ଟି ପ୍ଲଟ ଉପରେ ମଧ୍ୟ ନଜର ରଖିଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ଜଣାପଡ଼ିଛି ଯେ ମନୋଜ ରାଜ୍ୟ ବାହାରର ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାଁରେ ପାଖାପାଖି ୫ହଜାରରୁ ଅଧିକ ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରିଥିଲା । ଆଉ ମନୋଜ ଦେଢ଼ରୁ ୨ ଲକ୍ଷ ଟଙ୍କାରେ ଆଶାୟୀ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ବିକ୍ରି କରୁଥିଲେ ।

ସାର୍ଟିଫିକେଟ୍ ବିକ୍ରି କରି ମନୋଜ ବଲାଙ୍ଗୀରରେ ମୂଲ୍ୟବାନ ଜମି କିଣିଥିଲେ । ଆଉ କିଛି ନଗଦ ଟଙ୍କା ବ୍ୟାଙ୍କ ଓ ଘରେ ରଖିଥିଲେ । ଗତ ୫ ତାରିଖରେ କ୍ରାଇମବ୍ରାଞ୍ଚ ମନୋଜ ଓ ଆଲୋକ ଉଦଗାତାଙ୍କୁ ତିନିଦିନିଆ ରିମାଣ୍ଡାରେ ଆଣିଥିଲା । ଶୁକ୍ରବାର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡରେ ଜେରା ସମୟରେ କ୍ରାଇମବ୍ରାଞ୍ଚ ମନୋଜଙ୍କ ବେଆଇନ୍ ଜମିକୁ ଜବତ କରିଛି । ତେବେ ଆଜି କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନା କରିବ ବୋଲି ଜଣାପଡ଼ିଛି ।