ସୀମାନ୍ତ ଗାଁର ସତ । ଛତିଶଗଡ-ଓଡିଶା ସୀମାରେ ଦୁଇ ଗାଁ ବଡ ବୁରୁଦି ଓ ସାନ ବୁରୁଦି । ଛତିଶଗଡ ଗାଁରେ ବିକାଶ ହିଁ ବିକାଶ, ନାହିଁ ନାହିଁରେ ଚାଲିଛି ଓଡିଶାର ଗାଁ 

108

କନକ ବ୍ୟୁରୋ: ଆଜି ଉତ୍କଳ ଦିବସରେ ଆମେ ଅଖଣ୍ଡ ଓଡିଶାର କଥା କହୁଛେ । ସଭା ସମିତି କରି ଉତ୍କଳ ଦିବସ ପାଳନ କରୁଛେ । କିନ୍ତୁ ଏହି ଅଖଣ୍ଡ ଓଡିଶା ସୀମା ଭିତରକୁ ପଡୋଶୀ ରାଜ୍ୟ ଗୁଡିକ ପଶି ମାମଲାତି କରିବାର ଅନେକ ଚିତ୍ର ସାମନାକୁ ଆସୁଛି । ଗଂଜାମ, ଗଜପତି ଠାରୁ ଆରମ୍ଭ କରି କୋରାପୁଟର କୋଟିଆ ଓ ମାଲକାନଗିରି ସବୁଠି ସୀମାରେ ଚାଲିଛି ଆନ୍ଧ୍ରର ରାଜୁତି । ତେବେ ମାଲକାନଗିରି ଛତିଶଗଡ ସୀମାରେ ଚିତ୍ର କିନ୍ତୁ ଭିନ୍ନ । ଛତିଶଗଡ ଏଠାରେ ବିସ୍ତାରବାଦୀ ନୀତି ଅବଲମ୍ବନ କରିନି ସତ । ତେବେ ସେଠାକର ବିକାଶ ଦେଖିଲେ ସ୍ପଷ୍ଟ ବାରି ହୋଇପଡେ, ଆମ ରାଜ୍ୟର ଅଖଣ୍ଡତା ପ୍ରତି ଆମ ସରକାର କେତେ ଯତ୍ନବାନ ।

ମାଲକାନଗିରି ସହର ଠାରୁୁ ବୁରୁଦୀ ଗାଁର ଦୂରତା ୨୦ କିଲୋମିଟର । ଆନ୍ଦ୍ରପ୍ରଦେଶର ସୁକୁମା ଠାରୁ ବି ଏହା ସେହି ୨୦ କିଲୋମିଟର ଦୂର । ତେବେ ମାଲକାନଗିରି ବୁରୁଦୀ ଗାଁ ସମସ୍ୟାର ପହାଡ ଉପରେ ଠିଆ ହୋଇଛି । ଏଠି ନଳକୂଅ ଅଚଳ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଅଛି, କିନ୍ତୁ ସେଥିରେ ତାଲା ପଡିଛି । ଏଠାକାର ଲୋକଙ୍କ ସ୍ୱାସ୍ଥ୍ୟସେବା ଲାଗି ଛତିଶଗଡ ବୁରୁଦୀ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ହିଁ ଭରସା । ଏସବୁ ଭିତରେ ମୋବାଇଲ ନେଟୱାର୍କ ଓ ଡିଜିଟାଲ ସେବା ଚାଲିଛି ଛତିଶଗଡ ଭରସାରେ ।

୧୯୯୨ରେ ମାଲକାନଗିରି ଜିଲ୍ଲା ଗଠନ ହୋଇଥିବା ବେଳେ ୨୦୧୨ରେ ଗଠନ ହୋଇଛି ଛତିଶଗଡର ସୁକୁମା ଜିଲ୍ଲା । ସୁକୁମା ଠାରୁ ୨୦ ବର୍ଷ ବଡ ମାଲକାନଗିରି ଜିଲ୍ଲା ଗାଁ ବୁରୁଦୀରେ ବିକାଶର ଚିହ୍ନବର୍ଣ୍ଣ ନଥିବା ବେଳେ ସୁକୁମା ବୁରୁଦୀ ଗାଁରେ ସବୁ ପ୍ରକାର ସୁବିଧା ପାଉଛନ୍ତି ଗ୍ରାମବାସୀ । ଏଠି ପିଲାଙ୍କ ଶିକ୍ଷାଦାନ ପାଇଁ ଅଙ୍ଗନୱାଡି କେନ୍ଦ୍ର ଠାରୁ ଆରମ୍ଭ କରି ସେବାଶ୍ରମ ରହିଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ସ୍ୱତନ୍ତ୍ର ପ୍ରସୂତୀ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟସେବା ମିଳୁଛି । ଗାଁରେ ମୋବାଇଲ ଇଂଟରନେଟ ଠାରୁ ଆରମ୍ଭ କରି ଡିଜିଟାଲ ସେବା, ସ୍ୱଚ୍ଛତା ସବୁ କିଛି ଚକାଚକ ।