କାଜାଖସ୍ତାନ ସ୍ଥିତି ଅଣାୟତ୍ତ: ବିଦ୍ରୋହୀଙ୍କ ସହ ଆଲୋଚନା ପାଇଁ ମନା କଲେ ଟୋକାଏଭ, ଗୁଳି କରିବା ନିର୍ଦ୍ଦେଶ ଦୋହରାଇଲେ

143

କନକ ବ୍ୟୁରୋ: କାଜାଖସ୍ତାନରେ ଚାଲିଥିବା ହିଂସାକାଣ୍ଡ ସାମାନ୍ୟ କମିଥିଲେ ବି ଏପର୍ୟ୍ୟନ୍ତ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ବିଦ୍ରୋହୀମାନଙ୍କ ଆଲୋଚନା ପାଇଁ ଅନ୍ତର୍ଜାତୀୟ ସଂପ୍ରଦାୟ କରିଥିବା ନିବେଦନକୁ ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେଭ୍ ଖାରଜ କରିଦେଇଛନ୍ତି । ଏହା ସହିତ ବିଦ୍ରୋହୀମାନଙ୍କୁ ବିନା ଚେତାବନୀରେ ଗୁଳି ମାରିବା ନିର୍ଦ୍ଦେଶକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ରାସ୍ତାରେ ବୁଲୁଥିବା ସଶସ୍ତ୍ର ଡକାୟତମାନଙ୍କୁ ଶେଷ କରିଦିଆଯିବ, ସେମାନଙ୍କ ସହ ଆଲୋଚନା କରାଯିବ ନାହିଁ ।

ସେନା ଓ ପୁଲିସ କର୍ମୀଙ୍କ ଭୟରେ ସମଗ୍ର ସହର ଜନଶୂନ୍ୟ ହୋଇଯାଇଯାଇଛି । ଆମେରିକା ସରକାର ନିଜର ଦୂତାବାସରେ ଥିବା ଅଣଜରୁରୀ କର୍ମଚାରୀଙ୍କୁ ପ୍ରତ୍ୟାହାର କରିନେଇଛନ୍ତି ।ଅନ୍ୟପକ୍ଷରେ ସରକାର ବିରୋଧୀଙ୍କ ଉପରେ ଗୁଳିଚାଳନା ପରି ଅମାନବୀୟ ନିର୍ଦ୍ଦେଶ ଦେଇଥିବା ଟୋକାୟେଭଙ୍କୁ ସମଗ୍ର ବିଶ୍ବ ସମୁଦାୟ ସମାଲୋଚନା କରୁଥିବାବେଳେ ତାଙ୍କ ସମର୍ଥନରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନି ପିନ । ଅନ୍ୟପକ୍ଷରେ ସଂଜମ ରକ୍ଷା ପାଇଁ ୟୁରୋପୀୟ ସଂଘ ପକ୍ଷରୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ତେଲ ଓ ଗ୍ୟାସଦର ବୃଦ୍ଧି ପାଇବା କାରଣରୁ କାଜାକସ୍ତାନରେ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା । କ୍ରମେ ଏହି ଜନ ଅସନ୍ତୋଷ ସରକାର ବିରୋଧୀ ଆକ୍ରୋଶରେ ପରିଣତ ହୋଇଥିଲା । ଲୋକମାନେ ରାସ୍ତାକୁ ଓହ୍ଲାଇବା ସହ ବିରୋଧ ହିଂସାତ୍ମକ ହୋଇଥିଲା । ଏହାକୁ ଦମନ କରିବାକୁ ସେଠାକାର ରାଷ୍ଟ୍ରପତି କାସିମ ଟୋକାୟେଭ ଦେଶରେ ଦୁଇ ସପ୍ତାହ ପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିଲେ । ଏହା ସହିତ ଏକ ଋଷିଆ ସମର୍ଥିତ ଏକ ମିଲିଟାରୀ ବାହିନୀକୁ ବିଦ୍ରୋହ ଦମନ ପାଇଁ ନିୟୋଜିତ କରିଥିଲେ । ସରକାର ବିରୋଧୀଙ୍କୁ ବିନା ଚେତାବନୀରେ ଗୁଳିମାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।