କ୍ୟାନସର ହସ୍ପିଟାଲ ଉଦଘାଟନକୁ ନେଇ ତେଜିଲା ରାଜନୀତି । ପ୍ରଧାନମନ୍ତ୍ରୀଙ୍କୁ ମମତା କହିଲେ ଏହି ହସ୍ପିଟାଲକୁ ମୁଁ ପୂର୍ବରୁ କରିସାରିଛି ଉଦଘାଟନ ।

205

କନକ ବ୍ୟୁରୋ: ପଞ୍ଜାବ ପରେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ବଡ ଅଡୁଆର ସାମ୍ନା କରିବାକୁ ପଡିଛି । କେନ୍ଦ୍ରର ଚିତ୍ତରଞ୍ଜନ ରାଷ୍ଟ୍ରୀୟ କ୍ୟାନସର ହସ୍ପିଟାଲକୁ ଉଦଘାଟନ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଶ୍ଚର୍ଯ୍ୟ କରିଛି । ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁ ହସ୍ପିଟାଲକୁ ଉଦଘାଟନ କରୁଛନ୍ତି ତାକୁ ସେ ବହୁ ଆଗରୁ ଉଦଘାଟନ କରି ସାରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଯଦିଓ ନିରବ ରହିଥିଲେ କିନ୍ତୁ ମୋଦି ନିଜର ଅଭିଭାଷଣ ରଖୁଥିବା ବେଳେ ମମତା ମୋଦିଙ୍କୁ ନଦେଖିଲା ଭଳି ଆଚରଣ ଦେଖାଇଥିଲେ ।

ତେବେ ଭିଡିଓ କନଫେରସିଂ ଜରିଆରେ ଏହି କ୍ୟାନସର ହସ୍ପିଟାଲର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ । ଆଉ ମମତା ଏହି ଅବସରରେ କହିଛନ୍ତି ସେ ଏହି ହସ୍ପିଟାଲକୁ ପୂର୍ବରୁ ଉଦଘାଟନ କରିସାରିଛନ୍ତି । ମୋଦୀ କିନ୍ତୁ ଏହି ସମୟରେ କିଛି ନକହି ନିରବ ରହିଥିଲେ । ଆଉ କହିଥିଲେ ଏହି ହସ୍ପିଟାଲ କ୍ୟାନସର ଆକ୍ରାନ୍ତଙ୍କ ପାଇଁ ସହାୟକ ହେବ । ସବୁଠୁ ବଡ କଥା ହେଲା ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଉଦବୋଧନ ଦେଉଥିଲେ ସେତେବେଳେ ଦିଦି ତାଙ୍କ ମୋବାଇଲରେ ବ୍ୟସ୍ତ ଥିଲେ ।

ମମତା ଯଦିଓ କହିଛନ୍ତି ଏହି ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ୭୧ ପ୍ରତିଶତ ଖର୍ଚ୍ଚ କରିଛନ୍ତି । କିିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଏହି ହସ୍ପିଟାଲ ତିଆରି ପାଇଁ ଖର୍ଚ୍ଚ ହୋଇଛି ୫୩୦ କୋଟି । ଯେଉଁଥିରେ କେନ୍ଦ୍ର ଦେଇଛି ୪୦୦ କୋଟି । ରାଜ୍ୟ ୧୧ ଏକର ଜମି ଏବଂ ବାକି ପଇସା ଦେଇଛି । ତେଣୁ ମମତା ଏହି ହସ୍ପିଟାଲକୁ ଆଗୁଆ ଉଦଘାଟନ କରି କଣ ବାର୍ତା ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ଅନୁମେୟ ।

କୋଭିଡର ଦ୍ୱିତୀୟ ଲହର ବେଳେ ପଶ୍ଚିମବଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିଲା ସେତେବେଳେ ଏହି ହସ୍ପିଟାଲକୁ କୋଭିଡ ସେଣ୍ଟର ରୂପେ ବ୍ୟବହାର ପାଇଁ ଅନୁମତି ଦିଆଯାଉ ବୋଲି କେନ୍ଦ୍ରକୁ ଅନୁମତି ମାଗିଥିଲା ପଶ୍ଚିମବଙ୍ଗ ସରକାର । ପରେ ଏହାକୁ କୋଭିଡ ସେଣ୍ଟର ଭାବରେ ଉଦଘାଟନ କରିଥିଲେ ମମତା । ତେଣୁ ମମତା କ୍ୟାନସର ଏବଂ କୋଭିଡ ମଧ୍ୟରେ ପାର୍ଥକ୍ୟ ଜାଣିନପାରି ଏପରି କହି ନିଜର ଗାରିମା ଖରାପ କରିଛନ୍ତି ବୋଲି ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି । ତେବେ କେନ୍ଦ୍ର ଓ ପଶ୍ଚିମବଙ୍ଗରେ ଦୁଇ ଅଲଗା ଅଲଗା ଦଳ କ୍ଷମତାରେ ରହିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହୋଇସାରିଛନ୍ତି । ଯଦି ମମତାଙ୍କ ପରି ଅନ୍ୟ ମୁଖ୍ୟମନ୍ତ୍ରୀ ଏପରି ଆଚରଣ ଦେଖାଇବେ ତାହେଲେ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଚଳାଇବା କଷ୍ଟକର ହୋଇପଡିବ ।