ତେଜିଲା ଶ୍ରମ ମନ୍ତ୍ରୀଙ୍କ ବିବାଦ: ବହିଷ୍କାର ଦାବିରେ ବିଜେପିର ବିକ୍ଷୋଭ

1,350

କନକ ବ୍ୟୁରୋ: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିବା ପରେ ତେଜିଛି ରାଜନୀତି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱର, ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିବା ପରେ ତେଜିଛି ବିବାଦ । ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରି ରାସ୍ତାକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱର ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲାର ଭଂଜନଗର, ବ୍ରହ୍ମପୁରରେ ବିଜେପି ପକ୍ଷରୁ ଶ୍ରମ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି । ଶ୍ରମ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହ ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇଛି ବିଜେପି ।

ବିବାଦ ବଢ଼ୁଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଆସିଛନ୍ତି । ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଜଣେ ମହିଳା, ମହିଳା ଥାନାରେ ଏତଲା ଦେଇଛନ୍ତି । ସେ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଶ୍ରମ ମନ୍ତ୍ରୀ ।