ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି

115

କନକ ବ୍ୟୁରୋ: ପୁଣି ମୁହାଁମୁହିଁ ହେଲେ ଭାରତୀୟ ସେନା ଓ ପିଏଲଏ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ସାମ୍ନାସାମ୍ନି ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲୱାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁ ଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମ କଲା ବେଳେ ବାଧା ଦେଇଛି ଭାରତୀୟ ସେନା । ଫଳରେ ୨ ଦେଶର ସୈନିକ ହାତାହାତି ହୋଇଛନ୍ତି । ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ଚୀନ୍ ସୈନିକ ଆହତ ହୋଇଥିବା ଜଣାପଡ଼ିଛି । ଗତ ୨୦ ତାରିଖରେ ଉତର ସିକିମର ନାକୁ ଲା’ ଠାରେ ଭାରତୀୟ ସେନା ଓ ଚୀନର ପିଏଲଏ ମଧ୍ୟରେ ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଭାରତୀୟ ସେନା । ଚୀନ୍ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏପରି ପରିସ୍ଥିତି ଉପୁଜିଥିଲା ।

ନାକୁ ଲା’ ସୀମାରେ ଚୀନ ସେନା ଭାରତ ମାଟି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବାଧା ଦେଇଥିଲେ ସେଠାରେ ମୁତୟନ ଭାରତୀୟ ସୈନିକ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତେବେ ପ୍ରଟୋକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡର ସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଉତ୍ତର ସିକ୍କିମର ନାକୁ ଲା’ ନିକଟରେ ଗତ ବର୍ଷ ମେ’ ୯ ତାରିଖରେ ଉଭୟ ଦେଶର ପ୍ରାୟ ୧୫୦ ସହ ସୈନିକ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ଓ ଚୀନ୍ର ପ୍ରାୟ ୧୦ଜଣ ସୈନ୍ୟ ଆହତ ହୋଇଥିଲେ । ସେପଟେ ଗତବର୍ଷ ମେ’୨୦ତାରିଖରେ ଗଲୱାନ ଘାଟି ସଂଘର୍ଷ ପରେ ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ । ରବିବାର ଦିନ ଉଭୟ ଦେଶର ସେନାସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏପଟେ ପୁଣି ସିକ୍କିମ ସୀମାରେ ଅନୁପ୍ରବେଶ ଉଦ୍ୟମ କରି ନିଜ ଅସଲ ରୂପ ଦେଖାଇଛି ଚୀନ୍ ।