ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି

97

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେ ୩ ଶହରୁ ଅଧିକ ଟ୍ୱିଟର ଆକାଉଂଟ ଖୋଲାଯାଇଛି । ଗୁଇନ୍ଦା ଓ ଅନ୍ୟ ଏଜେନ୍ସିର ତଥ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ଏହା କହିଛି ।

ଏଭଳି ତଥ୍ୟ ଆସିଲା ପରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସରେ କୃଷକ କରିବାକୁ ଥିବା ଟ୍ରାକ୍ଟର ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ସେଠାରେ ଦେଶ ବିରୋଧୀ ତତ୍ତ୍ୱ କିଛି ବାଧା ସୃଷ୍ଟି କରିପାରନ୍ତି ଏବଂ ଏଥିପାଇଁ ପୋଲିସ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ସେପଟେ ଏନସିଆରରେ ମଧ୍ୟ ଟ୍ରାକ୍ଟର ରାଲିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବଡ ପ୍ରସ୍ତୁତି ଚଳାଇଛନ୍ତି ଚାଷୀ ସଂଗଠନ । ୨ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବା ପରେ ସରକାର କୃଷକଙ୍କ ଦାବିକୁ ନମାନିବାରୁ ଅଧିକ ଚାପ ସୃଷ୍ଟି କରିବାକୁ କିଷାନ ଗଣତନ୍ତ୍ର ପ୍ୟାରେଡ୍ କରିବାକୁ ସଜ ହେଉଛନ୍ତି ଚାଷୀ । ଏପରି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ପୁଣି ଆନ୍ଦୋଳନକାରୀ କୃଷକଙ୍କୁ ଅନୁରୋଧ କରିଛନ୍ତି । ଜାନୁଆରୀ ୨୬ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଆନ୍ଦୋଳନ ନକରିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ମୁମ୍ବାଇ ପର୍ଯ୍ୟନ୍ତ ପହଂଚିିଛି । ସମର୍ଥନରେ ମୁମ୍ବାଇ ଆଜାଦ ମଇଦାନରେ ହଜାର ହଜାର ଚାଷୀ ଏକତ୍ରିତ ହୋଇଛନ୍ତି । ଏଠାରେ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି ଏନସିପି ନେତା ଶରଦ ପାୱାର । ଏପଟେ କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ଦିଲ୍ଳୀରେ ଟ୍ରାକ୍ଟର ରାଲି କରିବାକୁ ସର୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ୍ । ଅନୁମତି ଅନୁସାରେ ତିନୋଟି ସ୍ଥାନରୁ ବାହାରିବ ଶୋଭାଯାତ୍ରା । ତେବେ ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଚାଷୀ ସଂଗଠନକୁ କହିଛି ପୋଲିସ ।