ସୁଧୁରୁନି ସ୍ଥିତି, ପଛକୁ ହଟୁନି ଚୀନ ସେନା। ସୀମାରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ ଜାରି।

115

କନକ ବ୍ୟୁରୋ: ଏଲଏସିରେ ସୁଧୁରୁନି ସ୍ଥିତି, ପଛକୁ ହଟୁନି ଚୀନ ସେନା । ଏବେ ବି ଜାରି ରଖିଛି ସ୍ଥାୟୀ ନିର୍ମାଣ କାର୍ଯ୍ୟ । ଭାରତୀୟ ସେନା ମୁଖ୍ୟଙ୍କ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବ ଲଦାଖ ଗୋଗ୍ରା ହଟ ସ୍ପ୍ରିଙ୍ଗ୍ ଅଞ୍ଚଳର ପାଟ୍ରୋଲିଂ ପଏଣ୍ଟ ୧୫ରୁ ଭାରତ ଏବଂ ଚୀନ ସେନା ପଛକୁ ହଟିବାର ଦୁଇ ମାସ ପୁରିଲାଣି । ହେଲେ ବାସ୍ତବ ସ୍ଥିତିରେ ବହୁତ କିଛି ବଦଳି ନାହିଁ, ଯାହା ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତି ସ୍ଥିର ରହିଛି ହେଲେ ଆଗକୁ କିଛି ଆକଳନ କରିହେବନି ବୋଲି କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଚୀନ ସେନା ଏଲଏସିରୁ ପଛକୁ ହଟିବାକୁ ପ୍ରତିଶ୍ରୁତି ଦେଇଥିଲା ହେଲେ ଏବେ ମଧ୍ୟ ସେନା ହଟିବା ନିଷ୍ପତି ବାସ୍ତବ ରୂପ ନେଇ ନାହିଁ । ଶୀତ ଋତୁ ଆରମ୍ଭ ହୋଇଯାଇଥିଲେ ବି ଏଲଏସି ନିକଟରେ ଚୀନ ସେନା ଡେରା ପକାଇଥିବା ଦେଖିବାକୁ ମିଳିଛି ।

୨୦୨୦ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ସମାଧାନ ପାଇଁ ଦୁଇ ଦେଶର ସେନା ୧୬ ରାଉଣ୍ଡ କମାଣ୍ଡରସ୍ତରୀୟ ଆଲୋଚନା କରିିସାରିଲେଣି । ଆଲୋଚନା ପରେ ହୋଇଥିବା ଚୁକ୍ତି ମୁତାବକ କିଛି କିଛି ସ୍ଥାନରେ ଉଭୟ ସେନା ପଛକୁ ହଟିଛନ୍ତି ।

ଫେବ୍ରୁଆରୀ ୨୦୨୧ରେ ପ୍ରଥମେ ପାଙ୍ଗୋଙ୍ଗ୍ ଟିସୋ ଅଂଚଳରୁ ଦୁଇ ଦେଶର ସେନା ପଛକୁ ହଟିଥିଲେ । ଅଗଷ୍ଟ ୨୦୨୨ରେ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଂଚଳରୁ ଉଭୟ ସେନା ପଛକୁ ହଟିଥିଲେ । ସେପ୍ଟେମ୍ବର ୨୦୨୨ରେ ପିପି-୧୫ ଅଂଚଳରୁ ମଧ୍ୟ ସେନା ପ୍ରତ୍ୟାହାର କରାଯାଇଥିଲା । ହେଲେ ଡେମଚୋକ୍ ଓ ଡେପସାଙ୍ଗ୍ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବାକୁ ଡ୍ରାଗନ ସେନା ଆଦୌ ରାଜି ହେଉନାହିଁ । ତାସହ ଅନ୍ୟ ସେକ୍ଟରରୁ ସେନା ହଟାଇବାକୁ ଚୁକ୍ତି କରି ମଧ୍ୟ ସେନା ହଟାଉନାହିଁ ଚୀନ ।

ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଜି-୬୯୫ ହାଇୱେ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଚୀନ । ସେପଟେ ସୀମାନ୍ତରେ ସୈନିକମାନଙ୍କୁ ଯୁଦ୍ଧ ପ୍ରଶିକ୍ଷଣ ମଧ୍ୟ ଦେଉଛି । ହେଲେ ଚୀନ ପକ୍ଷରୁ କୌଣସି ଆକ୍ରମଣ ହେଲେ ତାର କଡା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ ।