ବିଶ୍ୱରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା: ଭାରତ ବନିଛି ଡାଇବେଟିସର ରାଜଧାନୀ, ସାବଧାନ କରାଇଲେ ଡାକ୍ତର 

174

କନକ ବ୍ୟୁରୋ: ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ, ସଭାସମିତି ତଥା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ମଧୁମେହ ରୋଗ ପ୍ରତି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ତଥାପି ବଢ଼ି ଚାଲିଛି ମଧୁମେୟ ରୋଗୀଙ୍କ ସଂଖ୍ୟା । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ଆଉ ମଧୁମେୟ ରୋଗୀ ସଂଖ୍ୟା ବଢ଼ିବା ଯୋଗୁଁ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ହେବାର ଆଶଙ୍କା ବଢ଼ିଯାଏ । ଯାହା ଚିନ୍ତାର ବିଷୟ । ..

ମହାମାରୀ କରୋନାଠାରୁ ଆହୁରି ବିପଦଜନକ ମଧୁମେୟ ରୋଗ । କିନ୍ତୁ ସଚେତନତା ଅଭାବରୁ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା । ସେଥିପାଇଁ ବିଶ୍ୱ ମଧୁମେୟ ଦିବସରେ ବିଶ୍ୱବ୍ୟାପି କରାଯାଇଛି ସଚେତନତା ରାଲି  । ତଥାପି ବଢ଼ି ଚାଲିଛି ମଧୁମେୟ ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ମଧୁମେୟ ରୋଗରେ ବିଶ୍ୱରେ ପ୍ରତିବର୍ଷ ୪୦ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଭାରତ ମଧୁମେୟ ରୋଗର ରାଜଧାନୀ ପାଲଟିଛି । ବର୍ଲିନ ଡାଇଗ୍ନୋଷ୍ଟିକ୍ ସେଂଟରର ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୭କୋଟି ୭୦ ଲକ୍ଷ ଲୋକ ମଧୁମେୟ ରୋଗରେ ଆକ୍ରାନ୍ତ । ୩୦ବର୍ଷ ଭିତରେ ଭାରତରେ ୧୫ଗୁଣ ବୃଦ୍ଧି ପାଇଛି ମଧୁମେୟ ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୯୦ପ୍ରତିଶତ ଟାଇପ-ଟୁ ଡାଇବେଟିସରେ ପୀଡିତ । ଆଉ ଟାଇପ-ଟୁ ଡାଇବେଟିସ୍ ମାନବ ଇତିହାସର ସବୁଠାରୁ ବଡ ସ୍ୱାସ୍ଥ୍ୟ ସମସ୍ୟା ।

ମଧୁମେୟ ଆକ୍ରାନ୍ତଙ୍କ ହେଲେ, ଆପଣମାନେ ଜାଣିଥିବେ ରୋଗୀ ଜଣଙ୍କ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେମିତି ଛୋଟିଆ ଖଣ୍ଡିଆଟି ହେଲେ ଶୁଖିବାକୁ ବହୁ ଦିନ ଲାଗିଥାଏ । କୌଣସି ଅସ୍ତ୍ରୋପ୍ରଚାର କରିବା ସହଜ ହୋଇନଥାଏ । କିନ୍ତୁ ଆପଣ ହୁଏତ ଜାଣି ନଥିବେ, ଯେ ମଧୁମେୟ ଆକ୍ରାନ୍ତ ହେଲେ, ତାହା ହୃଦଘାତର ଆଶଙ୍କାକୁ ମଧ୍ୟ ବଢ଼ାଇ ଦେଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ମଧୁମେୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦଘାତ ଆଶଙ୍କା ୫୦ପ୍ରତିଶତ ବଢ଼ି ଯାଇଥାଏ । ଯାହା ଅତ୍ୟନ୍ତ ଚିନ୍ତା ଜନକ ।

ତ୍ରୁଟିପୂର୍ଣ୍ଣ ଆଧୁନିକ ଜୀବନଶୈଳୀ ମଧୁମେୟ ରୋଗର ମୂଳ କାରଣ । ବିଶେଷ କରି ଖାଦ୍ୟପେୟ ଅସାବଧାନତା, କମ୍ ଶାରୀରିକ ପରିଶ୍ରମ, ସ୍ୱାସ୍ଥ୍ର୍ୟ ଉପରେ କମ୍ ନଜର, ରୋଗ ପରୀକ୍ଷାରେ ବିଳମ୍ବ, ଚିକିତ୍ସାରେ ଅବହେଳା, ଭାରତରେ ମଧୁମେୟ ରୋଗ ବଢ଼ିବାର ପ୍ରମୁଖ କାରଣ । ତେବେ ସନ୍ତୁଳିତ ଆହାର ସହ, ନିୟମିତ ବ୍ୟାୟାମ, ଯୋଗ, ଚଲାବୁଲା, ଆଦି ଉପରେ ଦୃଷ୍ଟି ଦେଲେ ଏହି ରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ ।