ଜଟିଳ ହେଉଛି ସ୍ମିତାରାଣୀ ମୃତ୍ୟୁ ମାମଲା । ନ୍ୟାୟ ପାଇଁ ଗୁହାରି କଲେ ସ୍ମିତାଙ୍କ ସ୍ୱାମୀ, ମାନବାଧିକାର କମିଶନ ଓ ମହିଳା କମିସନଙ୍କ ନିକଟରେ ହେଲେ ଦ୍ୱାରସ୍ଥ, ତେଜିଲା ରାଜନୀତି ।

605

କନକ ବ୍ୟୁରୋ : ଧର୍ମଶାଳା ପଂଚାୟତ ଅଧିକାରୀ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ମୃତ ପତ୍ନୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସ୍ୱାମୀ ସୁଶୀଲ ବିଶ୍ୱାଳ । ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ସରପଂଚ ପତ୍ନୀ ଯୁକ୍ତି ବାଢ଼ୁଥିବା ବେଳେ ସ୍ମିତାରାଣୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି, ତାଙ୍କ ମୃତ ପତ୍ନୀଙ୍କ ଚରିତ୍ର ସଂହାର କରାଯାଉଛି । ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଆସି ମାନବାଧିକାର କମିସନ ଓ ମହିଳା କମିଶନଙ୍କ ନିକଟରେ ସେ ଫେରାଦ ହୋଇଛନ୍ତି । ଏହି ମାମଲାରେ ରାଜନୀତିର ରଙ୍ଗ ଆହୁରି ଗାଢ଼ ହୋଇଛି ।

ମୃତ ପତ୍ନୀଙ୍କ ସପକ୍ଷରେ ବାହାରିଲେ ସ୍ୱାମୀ । ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ହେଲେ ଫେରାଦ । ଧର୍ମଶାଳା ପିଇଓଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସ୍ତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ । ନ୍ୟାୟ ଦେବା ପାଇଁ ଓଡ଼ିଶା ମାନବିକ ଅଧିକାର କମିସନ ଓ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ସୁଶୀଲ ବିଶ୍ୱାଳ । ପୋଲିସର ଆତ୍ମହତ୍ୟା ଥିଓରୀକୁ ବିରୋଧ କରିବା ସହ ତାଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କୁତ୍ସାରଚନା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ନୁହେଁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଘଟଣାର ପୁଣି ଥରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ନଜର ପକାନ୍ତୁ, ସୁଶୀଲଙ୍କ ଅଭିଯୋଗ ଉପରେ

– ଚାକିରିକୁ ନେଇ ସ୍ମିତାରାଣୀ ମାନସିକ ଚାପରେ ଥିଲେ

– ବେଆଇନ କାମ କରିବା ପାଇଁ ବାଧ୍ୟ କରାଯାଉଥିଲା

– ଚାକିରି ଜୀବନର ତଦନ୍ତ ନକରି ବ୍ୟକ୍ତିଗତ ଜୀବନର ତଦନ୍ତ କାହିଁକି ହେଉଛି?

– ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଗେଷ୍ଟହାଉସକୁ ତାଙ୍କୁ ଛଡ଼ା ଯାଇନଥିଲା କାହିଁକି?

– ସ୍ମିତାରାଣୀଙ୍କୁ ନିଆଯାଇଥିବା ଗାଡ଼ିକୁ କାହିଁକି ଜବତ କରାଯାଇନି?

– ପୋଷ୍ଟମର୍ଟମ ରିପୋର୍ଟ ଆସିବା ବିଳମ୍ବ ହେଲା କାହିଁକି?

ଏପରି ଅନେକ ପ୍ରଶ୍ନ ଉଠାଇ ରୂପେଶ ଭଦ୍ର ହିଁ ହତ୍ୟାକାରୀ ବୋଲି ଖୋଲାଖୋଲି ଅଭିଯୋଗ କରିଛନ୍ତି ସୁଶୀଲ ବିଶ୍ୱାଳ । ସେପଟେ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଯାଜପୁର ଯାଇ କମିଶନ ତଦନ୍ତ କରିଛନ୍ତି । ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ । ଆବଶ୍ୟକ ହେଲେ ପୁଣି ଥରେ ତଦନ୍ତ କରାଯିବ ।

ଗିରଫ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସପକ୍ଷରେ ତାଙ୍କ ସରପଂଚ ପତ୍ନୀ ବାହାରିଥିବା ବେଳେ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଅଂଟା ଭିଡିଛନ୍ତି ତାଙ୍କ ସ୍ୱାମୀ । ଗୋଟିଏ ପଟେ ସରପଂଚ ମଧୁସ୍ମିତା ଭଦ୍ର ଓ ତାଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସହ ସ୍ଥାନୀୟ ବିଜେଡି ନେତାଙ୍କ ସଂପର୍କ ଥିବା ନେଇ ଅଭିଯୋଗ ହୋଇଆସୁଛି । ଅନ୍ୟପଟେ ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ଦେଖିବାକୁ ମିଳିଥିଲା । ଏପରକିି ମହିଳା କମିସନ ଅଧ୍ୟକ୍ଷା ଓ ଲେଖାଶ୍ରୀଙ୍କ ମଧ୍ୟରେ ବେଶ କିଛି ସମୟ କଥା କଟାକଟି ହୋଇଥିଲା । ବିଜେପି-ବିଜେଡି ଛକାପଂଝା ଭିତରେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ଗାଢ଼ ହେବାରେ ଲାଗିଛି ରାଜନୀତିର ରଙ୍ଗ ।