ଏ କେମିତିକା ବାପା ମା’ ! ଘଞ୍ଚ ଜଙ୍ଗଲ ମଧ୍ୟରେ ଛୁଆ ଜନ୍ମ କରି ଛାଡି ଚାଲିଗଲା ମା’, କଅଁଳ ଛୁଆର କାନ୍ଦ ଶୁଣି କୋଳେଇ ନେଲେ ଆଉ ଜଣେ ମା’

54

କନକ ବ୍ୟୁରୋ : ପୁଣି ଥରେ ଅଲୋଡା ହୋଇଯାଇଛି ଆଉ ଏକ ଶିଶୁ କନ୍ୟା । ଜଙ୍ଗଲ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଉଭାନ ହୋଇଯାଇଛି ମାଆ । ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ? କିଛି ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ଓୃସାହି ଗାଁରେ ୨୧ ଦିନ ତଳେ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇ ପର କରିଦେଇଥିଲେ ପିତାମାତା । ସହର ଠାରୁ ବେଶ ଅପହଁଚ ଜଙ୍ଗଲି ଇଲାକରେ ଥିଲା ଏହି କଅଁଳା ଝିଅ । ହେଲେ ସେହି ଅଂଚଳର ନିର୍ମଳା ବେହେରା ନାମକ ଜଣେ ମହିଳା କୁନି ଶିଶୁର କାନ୍ଦ ଶୁଣି ତାକୁ କୋଳେଇ ନେଇଥିଲେ ।

ନିର୍ମଳା ସିନା କୋଳେଇ ନେଲେ ହେଲେ ଅଭାବ ଅନଟନ ଓ ଚାଳଛପରର ମାଟି ଘରେ ବେଶ ଅସହାୟ ହୋଇ ପଡୁଥିଲେ । ଆଉ ଏହି ଖବର ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିବା ପରେ ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି କଅଁଳା ଝିଅ । ଆଇନସେବା ପ୍ରାଧିକରଣ ସଚିବଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ପହଁଚି ଶିଶୁ କନ୍ୟାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ହେଲେ ଏହି କଅଁଳା ଝିଅର କରୁଣା କାହାଣୀ ବେଶ ସମ୍ବେଦନଶୀଳ ।

ସୂଚନା ଅନୁଯାୟୀ, ୨୧ ଦିନ ତଳେ ଶିଶୁ କନ୍ୟାକୁ ଜଙ୍ଗଲି ଇଲାକାରେ ଜନ୍ମ ଦେଇ ପର କରିଦେଇଥିଲେ ପିତାମାତା । ସ୍ଥାନୀୟ ସରପଂଚଙ୍କ ସହାୟତାରେ ଜିଲ୍ଲା ଆଇନସେବା ପ୍ରାଧିକରଣ କତୃପକ୍ଷଙ୍କ ନିକଟରେ ଖବର ପହଁଚିଲା । ନିଜେ ଜିଲ୍ଲା ଜଜ ତାରା ପ୍ରସାଦ ରଥ ଘଟଣାରେ ହସ୍ତକ୍ଷେପ କରିବା ସହ ସଚିବ ଅରୁଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଇଲାକାରେ ପହଁଚି ପାରିଛି । ଶିଶୁକୁ ଉଦ୍ଧାର କରାଯିବା ପରେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜଣା ପଡିଛି । କିନ୍ତୁ ପୁଣିଥରେ ସମାଜରେ କନ୍ୟା ସନ୍ତାନ ଓ ଶିଶୁ କନ୍ରା ପ୍ରତି ନିର୍ଦ୍ଦୟ ପିତା ମାତାଙ୍କ ଆଭିମୁଖ୍ୟ ଏକ ବଡ ପ୍ରଶ୍ନ ଛିଡା କରିଛି ।