ସାବାଡ ହେବେ ନକ୍ସଲ ! ମାଓବାଦୀଙ୍କୁ ମାତ୍ ଦେବାକୁ ଆନ୍ଧ୍ର-ଓଡିଶା ଡିଜିପି ସ୍ତରୀୟ ବୈଠକ ଶେଷ, ନିର୍ବାଚନ ପୂର୍ବରୁ କେନ୍ଦ୍ରରୁ ମଗାଯିବ ଅଧିକ ଫୋର୍ସ

43

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଆଜି ବସିଥିବା ଆନ୍ଧ୍ର-ଓଡିଶା ଡିଜିପିସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ସଫଳ ହୋଇଛି । ଡିଜି ପୋଲିସ ରାଜେନ୍ଦ୍ର ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଓ ଅପରେସନ କ୍ଷେତ୍ରରେ ଦୁଇ ରାଜ୍ୟର ପୋଲିସଙ୍କ ମଧ୍ୟରେ କୋର୍ଡିନେସନ ଏବଂ କୋ-ଅପରେସନ କିପରି ରକ୍ଷା କରାଯାଇପାରିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥିସହ ଦୁଇରାଜ୍ୟ ମଧ୍ୟରେ ଗୁଇନ୍ଦା ସହଯୋଗକୁ କିପରି ବଢାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଡିଜିପି ସ୍ତରୀୟ ଏବଂ ମାଓ ପ୍ରବଣ ଜିଲ୍ଲାମାନଙ୍କର ଏସପି ସ୍ତରୀୟ ବୈଠକ କରାଯାଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଡିଜିପି ବୈଠକ ପରେ ସୂଚନା ଦେଇଛନ୍ତି । ଏଥିସହ ଗୁରୁପ୍ରିୟା ସେତୁରେ ସୁରକ୍ଷା ବ୍ୟବସ୍ଥା ଏକ ଚ୍ୟାଲେଂଜ ବୋଲି କହିଛନ୍ତି ଡିଜିପି ।
ଆନ୍ଧ୍ର ଡିଜିପି ଆର ପି ଠାକୁର କହିଛନ୍ତି ୨୦୧୯ ନିର୍ବାଚନକୁ ଆଉ ମାତ୍ର ୬ରୁ୭ମାସ ସମୟ ଥିବାରୁ ମାଓ ମୁକାବିଲା ପାଇଁ କେନ୍ଦ୍ରରୁ ଅଧିକ ଫୋର୍ସ ମଗାଯିବ । ସେହିପରି ନେତା ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ଦୁଇରାଜ୍ୟର ସୀମାରେ ଉନ୍ନୟନମୂଳକ କାମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।